ଜାମ୍ମୁ କାଶ୍ମିର (ଏଟିଆର ବ୍ୟୁରୋ ) ; ଖାତକୁ ଖସିପଡିଲା ବସ । ଚାଲିଗଲା ୧୫ ଟି ନିରୀହ ଜୀବନ । ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆଉ ୧୯ ଜଣ ଯାତ୍ରୀ । ଜାମ୍ମୁ କାଶ୍ମିରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ ,ଏକ ଯାତ୍ରୀବାହୀ ବସ ଜାମ୍ମୁ କାଶ୍ମିରର ବାନିହାଲରୁ ରାମବନ ଅଭିମୁଖେ ଯାତ୍ରା କରୂଥିବା ସମୟରେ ଜାତୀୟ ରାଜପଥ କେଲାମୋରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାତ୍ରୀବାହୀ ବସଟି ନିଜ ଭାରସାମ୍ୟ ହରାଇ ୨୦୦ ଫୁଟ ତଳରେ ଥିବା ଏକ ଖାତ ମଧ୍ୟକୁ ଖସି ପଡିଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୁର୍ଣ୍ଣ ଚୁରମାର ହୋଇଯିବା ସହ ଘଟଣାସ୍ଥଳରେ ହିଁ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୧୯ ଜଣ ଗୁରୁତର ଯାତ୍ରୀ ମାନଙ୍କୁ ଡାକ୍ତରଖାନା ନେବା ବାଟରେ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ତେବେ ମୋଟ ୧୫ ଜଣ ଯାତ୍ରୀଙ୍କର ଏଯାଏଁ ମୃତ୍ୟୁ ହୋଇସାରିଛି ।
ଅନ୍ୟପଟେ ସେମାନଙ୍କର ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁ ସେମାନଙ୍କୁ ହେଲିକପ୍ଟର ଯୋଗେ ଜାମ୍ମୁ କାଶ୍ମିର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି । ସେପଟେ ବସରେ ୩୪ ଜଣଯାତ୍ରୀ ଯାତ୍ରା କରୁଥିବା କୁହାଯାଉଥିବା ବେଳେ ଏହା ବସର କ୍ଷମତା ଠାରୁ ଅଧିକ ବୋଲି ଜଣାପଡିଛି । ବସଟି କେଲାମୋର ଠାରେ ଏକ ବୁଲାଣିରେ ଯାଉଥିବା ବେଳେ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ , ତେବେ ବସଟି ସିଧା ୨୦୦ ଫୁଟ ତଳକୁ ଖସି ପଡିଥିଲା । ଅନ୍ୟପଟେ ଘଟଣାସ୍ଥଳେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।