ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଭାରତର ପୁର୍ବ ଉପକୂଳରେ ‘ଚିଲିକା’ ହ୍ରଦ ଅବସ୍ଥିତ । ଏହା ଓଡିଶାର ଲୁଣି ହ୍ରଦ ଭାବରେ ବେଶ ଜଣାଶୁଣା । ଓଡିଶାର ସର୍ବ ବୃହତ୍ତମ ହ୍ରଦ ଭାବେ ଚିଲିକା ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାକୁ ବ୍ୟାପିଛି । ଭୌଗୋଳିକ ସ୍ଥିତି ଅନୁଯାୟୀ ଏହି ହ୍ରଦର ସର୍ବାଧିକ ଲମ୍ବ-୬୪.୩୦ କିଲୋମିଟର, ପ୍ରସ୍ଥ-୧୮ କିଲୋମିଟର ଏବଂ ଗଭୀରତା ୪.୨ ମିଟର ।
ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କର ବାସ ସ୍ଥାନ । ଶୀତଦିନ ଆସିବା ମାତ୍ରେ ବହୁ ମାତ୍ରାରେ ବିଦେଶୀ ପକ୍ଷୀମାନଙ୍କୁ ଏଠାରେ ଦେଖିବାକୁ ମିଳେ । ବିଦେଶୀ ପକ୍ଷୀମାନେ ହଜାର ହଜାର ମାଇଲ ଉଡି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଏହି ହ୍ରଦ ନିକଟକୁ ଆସିଥାନ୍ତି ।
ଏଠାରେ ଥିବା ପାରିକୁଦ ଏବଂ ମାଳୁଦ ଦ୍ୱୀପ ଏହାର ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ଏହା ଗନ୍ଥାଘର । ଏହି ହ୍ରଦର ଜଳଭାଗ ଯାହାର ପ୍ରାୟତଃ ତିନିପାର୍ଶ୍ୱ ସ୍ଥଳଭାଗ ଦ୍ୱାରା ପରିବେଷ୍ଟିତ ହୋଇଥିବା ବେଳେ ଏକ ପାର୍ଶ୍ୱ ସମୁଦ୍ର ସହ ସଂପୃକ୍ତ ସେଥିପାଇଁ ଏହି ହ୍ରଦକୁ ଲବଣାକ୍ତ ହ୍ରଦ ବା ଲାଗୁନ କୁହାଯାଏ ।
ଅନ୍ୟପଟରେ ଏହି ହ୍ରଦ ଓଡିଶାର ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ଜଣାଶୁଣା । ଏଠାକୁ ଭ୍ରମଣ ନିମନ୍ତେ ଦୂର ଦୂରାନ୍ତରୁ ହଜାର ହଜାର ପର୍ଯ୍ୟଟକ ଧାଇଁ ଆସିଥାନ୍ତି । ଏହା ସହିତ ବିଦେଶୀ ପକ୍ଷୀମାନଙ୍କ ସମାଗମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପକ୍ଷୀ ଭ୍ରମଣ କରିବା ଲାଗି ସର୍ବକୃଷ୍ଟ ସମୟ ହେଉଛି ଅକ୍ଟୋବର ମାସରୁ ଫେବୃୟାରୀ ମାସ, ମାତ୍ର ଉପଭୋଗର ମାସ ହେଉଛି ଡିସେମ୍ବରରୁ ଜାନୁଆରୀ ମାସ । ଏହି ସମୟରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ । ପାଖାପାଖ ୧୬୫ ପ୍ରଜାତିର ପକ୍ଷୀ ଚିିଲିକାରେ ଦେଖିବାକୁ ମିଳିଥାଏ । ସେମାନଙ୍କ ଭିତରୁ ବିଦେଶରୁ ୯୩ ପ୍ରଜାତିର ପକ୍ଷୀ ଥିବା ବେଳେ ୭୨ ପ୍ରଜାତିର ପକ୍ଷୀ ନିଜ ଦେଶର ଥାନ୍ତି । ପକ୍ଷୀମାନେ ହେଲେ ଫ୍ଲାମିଂଗୋ, ପିନ୍ଟେଲ ଡକ୍, ରେଡ୍ କ୍ରେଷ୍ଟେଡ ପୋଚାର୍ଡ ଡକ୍, କମନ ଟିଲ, ବ୍ଲୁ-ଉବଂଗଡ୍ ଟିଲ ଆଦି।