ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୂର୍ତ ସଚିବ ପଦବୀ ପାଇଁ ଚାଲିଛି ଛକାପଞ୍ଝା । ସଚିବାଳୟରେ ଆରମ୍ଭ ହୋଇଛି ଏନେଇ ଲବି । ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଅଭିଯୋଗ ପରେ ଅଭିଯୋଗ ଚାଲିଛି । କିନ୍ତୁ ବର୍ତମାନ ସୁଦ୍ଧା କାହାରି ନାଁ ଚୂଡ଼ାନ୍ତ ହୋଇନଥିବା ଜଣାପଡ଼ିଛି । ନଳିନୀକାନ୍ତ ପ୍ରଧାନ ମାର୍ଚ୍ଚ ୩୧ରେ ଅବସର ନେବେ । ତାଙ୍କ ପରେ କିଏ ପୂର୍ତ ସଚିବ ହେବେ ତାହାକୁ ନେଇ ବିଭାଗରେ ଟୁପୁରୁଟାପର ଚାଲିଛି ।
ଗତ ଏକ ସପ୍ତାହ ହେଲା ଚର୍ଚ୍ଚାକୁ ସରଗରମ କରିଛି ଲବିରେ ଥିବା କିଛି ମୁଖ୍ୟଯନ୍ତ୍ରୀଙ୍କ କାରବାର ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରାଯିବା ଘଟଣା । ସିଧା କହିବାକୁ ଗଲେ ଛକାପଞ୍ଝା ଭିତରେ ପୂର୍ତ ସଚିବ ପଦବୀ ଏବେ ବିବାଦୀୟ ହୋଇପଡ଼ିଛି ।
ନଳିନୀଙ୍କ ପରେ ଗ୍ରେଡେସନ ତାଲିକା ଅନୁଯାୟୀ ଯେଉଁ ମୁଖ୍ୟଯନ୍ତ୍ରୀମାନେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଏକାଧିକଙ୍କ ନାଁରେ ରହିଛି ଭିଜିଲାନ୍ସ ମାମଲା । ଏବେ ସୁଦ୍ଧା ୪ ଜଣ ମୁଖ୍ୟଯନ୍ତ୍ରୀଙ୍କୁ ଭିଜିଲାନ୍ସ କ୍ଲିୟରାନ୍ସ ଦେଇନାହିଁ । ଗ୍ରେଡେସନ ଅନୁଯାୟୀ ଶୁଭେନ୍ଦୁ ରାୟଙ୍କୁ ଓପିଏସସିରେ ନିଯୁକ୍ତି ମିଳିସାରିଛି । ଜୟମଙ୍ଗଳ ନାୟକ ଅବସର ନେବା ପରେ ତାଙ୍କ ତଳକୁ ରହିଛନ୍ତି ଜଗନ୍ନାଥ ପଟେଲ । ଏବେ ସେ ଆର ଡି ଚିଫ ଇଂଜିନିୟର ଭାବେ ରହିଛନ୍ତି । ତାଙ୍କ ପରେ ପରେ ଅଛନ୍ତି ମୁଖ୍ୟଯନ୍ତ୍ରୀ ବିଜନ ବେହେରା, ପ୍ରଦୀପ ଚରଣ ସାହୁ, ରସାନନ୍ଦ ସାହୁ, ବିଜୟ କୁମାର ପଟ୍ଟନାୟକ, ଓମ ପ୍ରକାଶ ପଟେଲ ଓ ଅନ୍ୟ ୬ ଜଣ ।
ଏବେ ସଚିବ ପଦବୀ ପାଇଁ ନିୟମାନୁଯାୟୀ ଶୁଭେନ୍ଦୁ ରାୟ ଥିବା ବେଳେ ତାଙ୍କ ଓପିଏସସିରେ ନିଯୁକ୍ତି ପରେ ପରବର୍ତୀ ମୁଖ୍ୟଯନ୍ତ୍ରୀ ଜଗନ୍ନାଥ ପଟେଲ ରହିଥିବା ବେଳେ ତାଙ୍କ ନାଁରେ ଭିଜିଲାନ୍ସ କ୍ଲିୟରାନ୍ସ ନାହିଁ । ସେହିଭଳି ତାଙ୍କ ପର ଅନ୍ୟ ୩ଜଣ ମୁଖ୍ୟଯନ୍ତ୍ରୀଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ମାମଲା ଚାଲିଥିବାରୁ କୌଣସି ନିଷ୍ପତି ହୋଇପାରୁନନଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ବିଜନ ବେହେରାଙ୍କୁ ଏହି ପବଦୀରେ ନିଯୁକ୍ତି ଦିଆଯିବାକୁ ଥିବା ବେଳେ ସର୍ବାଧିକ ଲବିରେ ରହିଥିବା ଓମପ୍ରକାଶ ପଟେଲଙ୍କ ନାଁ ଶୁଣାଯାଉଛି
କିନ୍ତୁ ଗତକାଲିଠାରୁ ଶ୍ରୀପଟେଲଙ୍କ ସମେତ ଆଉ ୩ଜଣଙ୍କ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ବିଭିନ୍ନ ବ୍ୟକ୍ତି ବିଶେଷ ଅଭିଯୋଗ କରିବା ପରେ ପୁଣି ଥରେ ବିବାଦ ଉପୁଜିଛି । ଅଭିଯୋଗ କରାଯାଇଥିବା ମୁଖ୍ୟଯନ୍ତ୍ରୀଙ୍କ ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ପ୍ରଶାସନ ବିଭାକୁ ଯାଁଚ୍ ପାଇଁ ପଠାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏବେ କିଏ ଏହି ପଦବୀରେ ଅବସ୍ଥାପିତ ହେବେ ତାହା ହିଁ ଆଗାମୀ ସମୟରେ ଜଣାପଡିବ ।