କଣ୍ଣାଟକ (ଏଟିଆର ବ୍ୟୁରୋ ) ; ମୋଦିଙ୍କୁ ଜନ୍ମଦିନର ଉପହାର ଦେଲା କର୍ଣ୍ଣାଟକ ସରକାର । ଲୋକଙ୍କ ଦଃୁଖ ବୁଝିଲା କର୍ଣ୍ଣାଟକର ମେଣ୍ଟ ସରକାର । କମାଇଲା ତେଲଦର । ବର୍ଦ୍ଧିତ ତେଲଦର ଉପରୁ ୨ ଟଙ୍କା ଛାଡ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । ସାଧାରଣଲୋକଙ୍କ ପାଇଁ ଦିନ କୁ ଦିନ ବଢିଚାଲିଥିବା ତେଲଦର ଉପରୁ ୨ ଟଙ୍କା ହ୍ରାସ କରିବା ନେଇ ଖୋଦ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କର୍ଣ୍ଣାଟକରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ୨ ଟଙ୍କା ଲେଖାଏଁ କମାଇଛନ୍ତି ସେଠାକାର ମିଳିତ ସରକାର । ତେବେ ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଭେଟି ବୋଲି କହିଛି କର୍ଣ୍ଣାଟକ ସରକାର ।
ରାଜ୍ୟ ସରକାରଙ୍କ ପକ୍ଷରୁ ମୋଦିଙ୍କ ଜନ୍ମଦିନ ଅବସରରେ ଏହାକୁ ଉପହାର ଭାବେ ଗ୍ରହଣ କରିବାକୁ କଣ୍ଣାଟକ ସରକାର କହିଛି । ଏହାସହ ଯଦି ରାଜ୍ୟ ସରକାର ବର୍ଦ୍ଧିତ ତେଲ ଦର ଉପରୁ ଟଙ୍କା ଛାଡ କରିପାରୁଛି ତେବେ କେନ୍ଦ୍ର ସରକାର କାହିଁକି ଛାଡ କରିବେନି ବୋଲି କର୍ଣ୍ଣାଟକର ଜଣେ କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି । ତେବେ ଅର୍ନ୍ତଜାତୀୟ ବଜାରରେ ବାରମ୍ବାର ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେଉଥିବା କାରଣରୁ ଦେଶରେ ପେଟ୍ରୋଲ-ଡିଜେଲର ଦରରେ ବାରମ୍ବାର ବୃଦ୍ଧି ହେଉଥିବା ଜଣାପଡିଛି ।
ସେପଟେ କଣ୍ଣାଟକ ପ୍ରଥମ ରାଜ୍ୟ ନୁହେଁ ଯେ କି ବର୍ଦ୍ଧିତ ତେଲଦର ଉପରୁ ଭ୍ୟାଟ ହ୍ରାସ କରିଛନ୍ତି । ପୁର୍ବରୁ ଯଥାକ୍ରମେ ରାଜସ୍ଥାନ ସରକାର ୪ପ୍ରତିଶତ ଭ୍ୟାଟ ଅର୍ଥାତ ୨.୫୦ ଟଙ୍କା ହ୍ରାସ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ୨ ଟଙ୍କା ହ୍ରାସ କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ସରକାର ମଧ୍ୟ ବର୍ଦ୍ଧିତ ତୈଳ ଦର ଉପରୁ ୧ ଟଙ୍କା କମାଇଛନ୍ତି । ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ବର୍ଦ୍ଧିତ ତେଲ ଦର ଉପରୁ ଭ୍ୟାଟ ହ୍ରାସ କରୁଥିବା ବେଳେ ଏହାର ପ୍ରଭାବ ଅନ୍ୟରାଜ୍ୟ ଉପରେ ପଡିବାର ସମ୍ଭାବନା ରହିଥିବା ଜଣାପଡିଛି ।