ଭୁବନେଶ୍ୱର(ଏଟିଆର ବ୍ୟୁରୋ) : ଓଡିଶାରେ ବ୍ୟାପିଲା ଡେଙ୍ଗୁ । ରାଜ୍ୟର ୨୯ଟି ଜିଲ୍ଲାରୁ ଡେଙ୍ଗୁ ରୋଗୀ ଚିହ୍ନଟ ପାଇଁ ନମୁନା ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । ଗତକାଲି କଟକ ଏସସିବି ମେଡିକାଲରେ ୧୩ଟି ରକ୍ତ ନମୁନା ପରୀକ୍ଷଣ କରାଯାଇଥିଲା । ଏଥି ମଧ୍ୟରୁ ଗୋଟିଏ ରକ୍ତ ନମୁନାରେ ପଜିଟିଭ ବାହାରିଥିବା ଜଣାପଡିଛି । ଏହି ନମୁନାଟି ଜଣେ ସମ୍ବଲପୁର ରୋଗୀଙ୍କର କୁହାଯାଉଛି । ବିଗତ ଦେଢ ମାସ ଭିତରେ ରାଜ୍ୟ ସମେତ ରାଜ୍ୟ ବାହାରର ୧୩୪ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଡେଙ୍ଗୁ ଆକ୍ରାନ୍ତ ତାଲିକାରେ କଟକ ସବୁଠୁ ଆଗରେ ଥିବା ନେଇ ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କଟକ ବଡ ମେଡିକାଲରେ ଗତ ୭ ମାସରେ ଓଡିଶା ସମେତ ଆନ୍ଧପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ଛତିଶଗଡ, ବିହାର, ମହାରାଷ୍ଟ୍ର, ଝାରଖଣ୍ଡ, ମଧ୍ୟପ୍ରଦେଶର ୨୨୧୯ଟି ରକ୍ତ ନମୁନା ପରୀକ୍ଷଣ କରାଯାଥିଲା । ଏଥିରୁ ୧୮୯ଟି ନମୁନାରେ ଡେଙ୍ଗୁ ଚିହ୍ନଟ ହୋଇଛି । ଓଡିଶାର କେବଳ ଝାରସୁଗୁଡାକୁ ବାଦ ଦେଲେ ୨୯ଟି ଜିଲ୍ଲାରୁ ଡେଙ୍ଗୁ ପରୀକ୍ଷଣ ପାଇଁ ନମୁନା ଆସିଥିବା ଜଣାପଡିଛି ।