କେନ୍ଦୁଝର,(ଏଟିଆର ବ୍ୟୁରୋ): ପାଣି ଭର୍ତ୍ତି ଏକ ଖାଲରେ ଫସିଥିବା ଏକ ହାତୀକୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି ଫରେଷ୍ଟର । ହାତୀ ଶୁଣ୍ଢରେ ଫରେଷ୍ଟରଙ୍କୁ କଚାଡି ଦେଇଛି । ତାଙ୍କୁ ଚିକିତ୍ସା ଲାଗି ଯଦିଓ ହସପିଟାଲରେ ଭର୍ତ୍ତି କରାଯାଇଛି ତଥାପି ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସିଂଗପୁର ଗାଁରେ । ଆହତଙ୍କ ଫରେଷ୍ଟରଙ୍କ ନାଁ ଟିକାୟତ ମହାନ୍ତ ।
ରିପୋର୍ଟ ଅନୁସାରେ, ଢେରଦିନ ହେବ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଧାନ ଫସଲ ଖାଇବାକୁ ପାଖ ଜଙ୍ଗଲରୁ ପ୍ରାୟ ସବୁବେଳେ ହାତୀମାନେ ଆସନ୍ତି । ଗତକାଲି ପାଖାପାଖି ୧୪ଟି ହାତୀ ଫସଲ ଖାଇବାକୁ ଆସିଥିଲେ । ତେବେ ଜମି ପାଖକୁ ଲାଗିଥିବା ଏକ ପାଣି ଭର୍ତ୍ତି ହୋଇଥିବା ଏକ ଖାଲରେ ୨ଟି ହାତୀ ଫସିଯାଇଥିଲେ । ସ୍ଥାନୀୟ ଲୋକ ଏନେଇ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ଗୋଟିଏ ହାତୀ ସେହି ଖାଲରୁ ବାହାରି ପଳାଇଥିବା ଦେଖିବାକୁ ମିଳିଥିଲା ।
ତେବେ ଫସି ରହିଥିବା ଆଉ ଏକ ହାତୀକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବନ ବିଭାଗ କର୍ମଚାରୀ । ତେବେ ଉଦ୍ଧାର ହେବା ପରେ ଅଚାନକ ହାତୀଟି ଉତ୍ପାତ କରିଥିଲା । ଶୁଣ୍ଡରେ ଉଠାଇ ଫରେଷ୍ଟରଙ୍କୁ ସିଧା ତଳେ କଚାଡି ଦେଇଥିଲା । ଅନ୍ୟ କର୍ମଚାରୀମାନେ ଫରେଷ୍ଟରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ସୂଚନା ଯୋଗ୍ୟ, ଦୀର୍ଘ ୩ଘଣ୍ଟାର ପରିଶ୍ରମ ପରେ ହାତୀଟିକୁ ଖାଲରୁ ଉଦ୍ଧାର କରିଥିଲେ ବନ ବିଭାଗ କର୍ମଚାରୀ ।