କଟକ,(ଏଟିଆର ବ୍ୟୁରୋ): କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଣି ଜଣଙ୍କର ଜୀବନ ନେଇଛି ହାତୀ । ବଡ଼ମ୍ବା ଥାନା ଖଇରାପଙ୍ଗା ଗାଁ ନିକଟ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ନାଁ ବିନୋଦ ବରାଡ(୫୪) ।
ବିନୋଦ କାଜୁ ବଗିଚାକୁ ଜଗିଥିବା ବେଳେ ଅଚାନକ ଏକ ଦନ୍ତା ହାତୀ ତାଙ୍କ ପାଖକୁ ପଳାଇ ଆସିଥିଲା । ହାତୀକୁ ଦେଖି ବାକି ୨ଜଣ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ଫସିଯାଇଥିଲେ ବିନୋଦ । ଶୁଣ୍ଢରେ ହାତି କଚାଡି କଚାଡି ବିନୋଦଙ୍କୁ ମାରିଦେଇଥିବା କୁହାଯାଉଛି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କ୍ଷତିପୂରଣ ଦାବୀରେ ଲୋକେ ବନ ବିଭାଗର କେତେକ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାପଡିଛି ।