କଟକ,(ଏଟିଆର ବ୍ୟୁରୋ): ପୁଣି ଏସସିବି ମେଡିକାଲରେ ଅଗ୍ନିକାଣ୍ଡ । ହେପାଟୋଲୋଜି ବିଭାଗରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଯଦିଓ ଜଣାପଡିନାହିଁ ତଥାପି ଘଟଣାକୁ ନେଇ ହସପିଟାଲ ପରିସରରେ ଆତଙ୍କ ଖେଳିଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଚେଷ୍ଟା ଚଳାଇଛି ।
କୁହାଯାଉଛି ଦିନ ସାଢ଼େ ୧୨ଟା ବେଳେ ହଠାତ୍ ବିଭାଗ ଭିତରେ ଧୂଆଁ ବାହାରୁଥିବା ନଜରକୁ ଆସିଥିଲା । ଏହାଦେଖି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକେ ଧାଁଧପଡ଼ କରିଥିଲେ । ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ହସପିଟାଲ କର୍ତ୍ତୃପକ୍ଷଙ୍କଠୁ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ବାରମ୍ବାର ସଟସର୍କିଟରୁ ଏସସିବି ଭଳି ମେଡିକାଲରେ ଅଗ୍ନିକାଣ୍ଡ ଘଟୁଥିବା ଘଟଣା ଏବେ ଚିନ୍ତାର ବିଷୟ ହୋଇଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ନଚେତ କୌଣସି ସମୟରେ ଏକ ବଡ଼ ଅଘଟଣ ଯେ ନଘଟିବ ତାହା କିଏ କହିବ ।