ଗଞ୍ଜାମ,(ଏଟିଆର ବ୍ୟୁରୋ): ଦିନ ଥିଲା ଲୋକ ମୁଣ୍ଡରେ ବସାଇଥିଲେ । ଆଖିବୁଜି ଭରସା କରୁଥିଲେ । ଏବେ କିନ୍ତୁ ବଦଳିଯାଇଛି ରୂପରେଖ । ତାଙ୍କ ନାଁ ଶୁଣିଲେ ଲୋକେ ନାକ ଟେକୁଛନ୍ତି । ଭୋଟ ଦେବା ତ’ ଦୂରର କଥା । ସିଧା ସିଧା କହିବାକୁ ଗଲେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଣେ ବିଧାୟକ ଏବେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ହରାଇଛନ୍ତି । ତାଙ୍କ ଲୋକପ୍ରୀୟତା କମିଯାଉଥିବା କଥା ଏବେ ହାଟରେ ପଡି ଦାଣ୍ଡରେ ଗଡିଲାଣି । ଅତି କଦର୍ଯ୍ୟ ବ୍ୟବହାର ହିଁ ଏବେ ତାଙ୍କୁ ଲୋକଙ୍କ ପାଖରେ ଛୋଟ କରିଦେଇଛି । ପରିସ୍ଥିତି ଏପରି ହୋଇଛି ଯେ, ଏବେ ତାଙ୍କ ବିକଳ୍ପ ଖୋଜିବାକୁ ଲୋକେ ଅଣ୍ଟା ଭିଡିଲେଣି । ଆମେ କହୁଛୁ ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଥା ।
ମୁହାଁମୁହିଁ ବିରୋଧ କରିବାକୁ ଲୋକେ ସାହାସ ଜୁଟାଇ ପାରୁନଥିଲେ ବି ପଛରେ ବିକଳ୍ପ ଖୋଜିବାରେ ପ୍ରୟାସ ଆରମ୍ଭ କରିଛନ୍ତି । ତାଙ୍କୁ ଗାଦିରୁ ହଟାଇବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ଓ ଯୁବନେତା ପ୍ରଭାକର ପଣ୍ଡା ସମାନ୍ତରାଳ ଭାବେ ସଂଗଠନ କରୁଥିବା ଜଣାପଡିଛି । ଏମିତିକି କିଛି ସରପଞ୍ଚ , ସମିତିସଭ୍ୟ ଓ ଜିଲ୍ଲା ପରିଷଦ ବିରୋଧୀ ଶିବିରରେ ଡେରା ପକାଇଲେଣି । ବାହୁବଳୀ ନେତା ଏସବୁ ଜାଣି ମଧ୍ୟ ନିର୍ବାଚନ ପାଖେଇ ଆସୁଥିବାରୁ ନିରବ ରହିବା ଉଚିତ ମଣିଛନ୍ତି । ଖାଲି ସେତିକି ନୁହଁ ପୋଲସରା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବ୍ୟାପକ ଦୁର୍ନୀତିର ପ୍ରମାଣ ସହ ଉପସ୍ଥାପନ କରି ବେଶ ଲୋକପ୍ରୀୟ ହୋଇଛନ୍ତି ସମରଜିତ ମହାନ୍ତି । ସାମ୍ନାକୁ ଆସୁନଥିଲେ ମଧ୍ୟ ସୋସିଆଲ ମିଡିଆରେ ଲୋକଙ୍କ ବିଶ୍ୱାସର ପାତ୍ର ହୋଇପାରିଛନ୍ତି ସମରଜିତ ।
ଇଣ୍ଟେଲିଜେନ୍ସ ରିପୋର୍ଟ କହୁଛି ଦିନକୁ ଦିନ ଲୋକପ୍ରୀୟତା ବାହୁବଳୀ ବିଧାୟକଙ୍କର କମିବାରେ ଲାଗିଛି । ବିଭିନ୍ନ ସଭା ସମିତିରେ ଲୋକଙ୍କୁ ଗାଳିଗୁଲଜ କରିବା, ସର୍ବସମ୍ମୁଖରେ ୟାକୁ ତାକୁ ଅସମ୍ମାନ କରିବା ଆଦି ଘଟଣା ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ପୋଲସରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ବିଧାନସଭାରେ ଗୋଟିଏ ବି ପ୍ରଶ୍ନ ନପଚାରିବା ନେଇ ଚର୍ଚ୍ଚା ଜୋର ଧରିଛି । ମେଡିକାଲରେ ଡାକ୍ତର ହୁଅନ୍ତୁ ଅବା ଜଳସେଚନ ଲାଗି କୌଣସି ପଦକ୍ଷେପ ଏଯାବତ ନେଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଏବେ ପ୍ରଶ୍ନ ବିଧାୟକଙ୍କ ନାଁରେ ଉଠୁଥିବା ଅନୀୟମିତତା ଅଭିଯୋଗ ଆଉ ଅନ୍ୟପଟେ ଲୋକଙ୍କ ଅସନ୍ତୋଷକୁ ବାଦ ଦେଲେ ନିଜ ଦଳୀୟ କର୍ମୀଙ୍କ ସମାନ୍ତରାଳ ସଂଗଠନକୁ ମାତ ଦେଇ ପୁଣି ଥରେ ବାଜିମାତ କରିବେ ତ’ ବିଧାୟକ । ସିଧା କହିବାକୁ ଗଲେ ବିଜେଡି ଟିକେଟ ହାତେଇବାକୁ ସକ୍ଷମ ହେବେ ତ?