ଭୁବନେଶ୍ୱର,(ଏଟିଆର ବ୍ୟରୋ): ପୁଣି ବୁଡିଲା ଭୁବନେଶ୍ୱର । ମାତ୍ର କେଇଘଣ୍ଟା ବର୍ଷାରେ ପୂରା ରାଜଧାନୀର ହୋଲିଆ ବଦଳିଯାଇଛି । ରାସ୍ତାଘାଟରେ ଲହଡି ମାରୁଛି ପାଣି । ସେ ଘର ହେଉ ଅବା ବାହାର, ଚାରିଆଡେ ଖାଲି ପାଣି ଆଉ ପାଣି । ପରିସ୍ଥିତି ଏପରି ହେଲାଣି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସିଧା କହିବାକୁ ଗଲେ ସାମାନ୍ୟ ବେଙ୍ଗ ମୁତିଲେ ଏଠି ଲହଡି ମାରୁଛି ଡ୍ରେନ ପାଣି । ଯାହା ଲୋକଙ୍କୁ ନାକରେ କନ୍ଦାଉଛି ।
ଜୟଦେବବିହାର, ବାଣିବିହାର, ଆଚାର୍ଯ୍ୟବିହାର, ଶାସ୍ତ୍ରୀନଗର, ଝାରପଡା ସବୁଠି ଅବସ୍ଥା ଅସମ୍ଭାଳ । କାହା ଘରେ ପାଣି ପଶି ଯାଇଛି ତ ଆଉ କେଉଁଠି ସମୁଦ୍ର ପରି ଲହଡି ମାରୁଛି ଡେନ ପାଣି । ତେବେ ସମସ୍ୟା ଆଜିକାର ନୁହେଁ ବରଂ ଢ଼େରଦିନର । ଡ୍ରେନଜ ସମସ୍ୟା ପାଇ ଏମିତି ଦଶା ଭୋଗୁଛନ୍ତି । ଇସ୍କନ ମନ୍ଦିରର ନିକଟସ୍ଥ ଜାତୀୟ ରାଜପଥର ସ୍ଥିତି ଦେଖିଲେ, ଆପଣଙ୍କ ଆଖିକୁ ବିଶ୍ୱାସ ହେବ ନାହିଁ । ଏକ ଘରୋଇ ବସ ଭାସିଯାଇଛି ।
ଖାଲି ବସ ତ ନୁହେଁ ବାଇକ ଓ ଅଟୋ ବି ଫସି ରହିଥିବା ଦେଖିବାକୁ ମିଳିଛି । ଏବେ ନଜର ପକାନ୍ତୁ ରାଜଧାନୀର କେତେକ ପ୍ରମୁଖ ସ୍ଥାନଗୁଡିକ ଉପରେ । କେଉଁଠି କିଭଳି ପରିସ୍ଥିତି ଉପୁଜିଛି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଡମାଣା ଯାଏ, ଏପଟେ ରସୁଲଗଡ, ପଳାଶୁଣି ଠାରୁ ଆରମ୍ଭ କରି ନୂଆପଲ୍ଲୀ ସବୁ ଅଂଚଳରେ ବର୍ଷା ପାଣି ବହୁଛି । ସେପଟେ ଡମଣା ଛକରେ ଥିବା ପଦ୍ମାବତୀ ବିହାରର ଲୋକେ ଜଳବନ୍ଦୀ ଥିବା ବେଳେ ଇନଫୋସିଟି ଅଂଚଳରେ ଥିବା ବିଷ୍ଣୁପ୍ରିୟାନଗରର ଲୋକେ ବାହାରକୁ ଯାଇପାରୁ ନାହାନ୍ତି । ସେହିପରି ମଂଚେଶ୍ୱର ଥାନା ଅଂଚଳର ଜଗନ୍ନାଥନଗର ଅଂଚଳର ଅଧିକାଂଶ ଅଂଚଳରେ ଅଣ୍ଟାଏ ପାଣି ।
ଜଗନ୍ନାଥନଗର ଓ ଝାରାପଡାକୁ ସଂଯୋଗ କରୁଥିବା ଏକ ନମ୍ବର ରୋଡ ମଧ୍ୟ ଜଳବନ୍ଦୀ ହୋଇ ରହିଛି । ଏପରି ସ୍ଥିତି ଉପୁଜିଛି କି, ଲୋକମାନେ କ’ଣ କରିବେ କ’ଣ ନାହିଁ ଜାଣିପାରୁ ନାହାନ୍ତି । ଗୋଟିଏ ଦିନର ଲଗାଣ ବର୍ଷାରେ ଏଭଳି ଅପ୍ରୀତିକର ପରିସ୍ଥିତି ଦେଖି ଆଗକୁ ଅବସ୍ଥା କ’ଣ ହେବ ଭାବି ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିଏମସି ଉପରକୁ ସମସ୍ତଙ୍କ ଆଙ୍ଗୁଳି ଉଠିଛି । ତୁରନ୍ତ ଏହାର ପ୍ରତିକାର ଲାଗି ଲୋକେ ଦାବି କରିଛନ୍ତି ।