ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାହା ପାଣିପାଗ ବିଭାଗ କହିଥିଲା ଶେଷରେ ତାହା ହିଁ ହେଲା । ରାତି ସିନା ପାହିଲା ହେଲେ ଲୋକେ ଜାଣିପାରିଲେ ନାହିଁ । ଭୋର ସାଢ଼େ ୫ଟାରୁ ଘୋଟି ଆସିଲା ଆକାଶରେ କଳାହାଣ୍ଡିଆ ମେଘ । ପରିସ୍ଥିତି ଏପରି ହେଲା ଯେ ସନ୍ଧ୍ୟା ନା ସକାଳ ତାକୁ ନେଇ ଲୋକେ ପଡିଲେ ଦ୍ୱନ୍ଦରେ । ତେବେ ଏହାର କିଛି ସମୟ ପରେ ଅର୍ଥାତ ସକାଳ ୬ଟାରୁ ଆରମ୍ଭ ହୋଇଗଲା କାଳବୈଶାଖୀର ତାଣ୍ଡବ । ଗାଜିଲା ବର୍ଷା ।
କେବଳ ଏତିକି ନୁହେଁ ପବନ ସାଙ୍ଗକୁ ତୁହାକୁ ତୁହା ଘଡଘଡି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲା । ଭୟରେ ଘରୁ ବାହାରିବାକୁ ଲୋକେ ସାହାସ କଲେ ନାହିଁ । ରାସ୍ତାଘାଟ ପୂରା ଖାଁ ଖାଁ ନଜରକୁ ଆସିଲା । ସବୁଠୁ ସମସ୍ୟା ପଡିଥିଲେ ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଏୟାରପୋର୍ଟରେ ଥିବା ଯାତ୍ରୀ । ଗୋଟିଏ ପଟେ ବର୍ଷା ଥମିବାକୁ ନାଁ ଧରୁନଥିବା ବେଳେ ଲୋକେ ମୁଣ୍ଡ ଗୁଞ୍ଜିବାକୁ ନୟାନ୍ତ ହୋଇପଡିଲେ । ସବୁଠି ଲହଡି ମାରୁଥିଲା ପାଣି । ସେ ଇସ୍କନ ପାଖ ରାସ୍ତା ହେଉ କି’ ଆଚାର୍ଯ୍ୟବିହାର ସବୁଠି ସୃଷ୍ଟି ହୋଇଥିଲା କୃତିମ ବନ୍ୟା । ସ୍ଥାନେ ସ୍ଥାନେ ତ’ ଘରେ ନାଳନର୍ଦ୍ଦମା ପାଣି ପଶି ଲୋକଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଥିଲା । ଜୟଦେବବିହାର, ଖଣ୍ଡଗିରି, ରସୁଲଗଡ଼, ନୟାପଲ୍ଲୀ, ବାପୁଜୀନଗର, ଫରେଷ୍ଟପାର୍କ ଅଞ୍ଚଳ ଲୋକେ ତ’ ଆଜି ନାକରେ କାନ୍ଦିଛନ୍ତି ।
ସିଧା କହିବାକୁ ଗଲେ ପାଣିରେ ଉବୁଟୁବୁ ହୋଇଛି ସ୍ମାର୍ଟସିଟି । ରେଳଷ୍ଟେସନର ଅବସ୍ଥା ତ’ ବେହାଲ ହୋଇପଡିଛି । ପ୍ଲାଟଫର୍ମରେ ଆଣ୍ଠୁଏ ଉଚ୍ଚର ପାଣି ଖାଲି ଲହଡି ମାରୁଛି । ଜିନିଷପତ୍ର ମୁଣ୍ଡାଇ ଲୋକେ ସେମିତି ଷ୍ଟାଚୁ ଭଳି ଛିଡା ହୋଇ ରହିଛନ୍ତି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିନ ସାଢ଼େ ୧୧ଟା ଯାଏଁ ଏଭଳି ପରିସ୍ଥିତି ଲାଗି ରହିବ । ତେବେ ସେ ଯାହା ବି ହେଉ କାଳବୈଶାଖୀ ତାଣ୍ଡବ ପୂରା ସହରବାସୀଙ୍କୁ ନାକେଦମ କରିଛି ।