ଭୁବନେଶ୍ୱର(ଏଟିଆର ବ୍ୟୁରୋ) : ଅସରାଏ ବର୍ଷାରେ ପୁଣି ରାଜଧାନୀ ଉବୁଟୁବୁ । ଏଥର ସ୍ଥିତି ଗତଥର ଅପେକ୍ଷା ଅଧିକ ସଙ୍ଗୀନ । ରାଜଧାନୀର ଚାରିଆଡେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବା ବେଳେ କେତେକ ସ୍ଥାନରେ ଛାତିଏ ଉପର ପାଣି ବୋହୁଛି । ଫଳରେ ସାଧାରଣ ଲୋକେ ଘରୁ ପାଦ କାଢି ପାରୁନଥିବା ବେଳେ ଛାତ୍ରଛାତ୍ରୀ ସ୍କୁଲ ଯିବେ କେମିତି ? ଏଥିପାଇଁ ଟ୍ୱିନସିଟିରେ ସମସ୍ତ ସ୍କୁଲ ଓ କଲେଜଗୁଡିକୁ ୨ ଦିନ ଲାଗି ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ଏସଆରସି ବିଷୁଣ ପଦ ସେଠୀ । ୨୧ ଓ ୨୨ ତାରିଖ ଏହି ଦୁଇଟି ସହରର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି ।
କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ଏହି ଲଗାଣ ବର୍ଷାର ପ୍ରଭାବ ପଡିଛି । ରସୁଲଗଡ, ବମିଖାଲ, ଲକ୍ଷ୍ମୀସାଗରରେ ଆଣ୍ଠୁଏ ଉଚ୍ଚର ପାଣି ଥିବା ବେଳେ ସବୁଥର ଭଳି ଏଥର ମଧ୍ୟ ଇସ୍କନ ମନ୍ଦିର ସାମ୍ନାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ ଛାତିଏ ଉଚ୍ଚର ପାଣି ଲହଡି ମାରୁଛି । ଯାନବାହନ ଯାତାୟତାରେ ବାଧା ସୃଷ୍ଟି ହୋଇଛି । ସେହିପରି ଜୟଦେବ ବିହାର ଓ ଆଚାର୍ଯ୍ୟବିହାର ଅଂଚଳ ମଧ୍ୟ ଜଳବନ୍ଦୀ । ଏପଟେ ପଟିଆ, ଡମଣା, ଚନ୍ଦ୍ରଶେଖରପୁରରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ବୋହୁଛି । ତଳିଆ ଅଚଂଳରେ ଥିବା ଘରଗୁଡିକରେ ନାଳ ନର୍ଦ୍ଦମା ପାଣି ପଶିଛି । ରୋଷେଇ ବାସ ବନ୍ଦ । ପାଣିରେ ଭାସୁଛି ଗ୍ୟାସ ସିଲିଣ୍ଡର । ସେପଟେ ପରିସ୍ଥିତିକୁ ବିଏମସି ପକ୍ଷରୁ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି ।
ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଯାହା ପାଣିପାଗ ବିଭାଗ ଆକଳନ କରିଥିଲା ତାହା ହିଁ ସତ ହେଲା । ସାରା ରାଜ୍ୟରେ ବର୍ଷା ଜାରି ରହିଥିବାରୁ ବନ୍ୟା ଆଶଙ୍କା ବଢିଯାଇଛି । ସେଥିପାଇଁ ଉପକୂଳ ଅଂଚଳରେ ରହୁଥିବା ଲୋକଙ୍କୁ ସତର୍କସୂଚନା ଜାରି କରାଯାଇଛି ।