କେରଳ (ଏଟିଆର ବ୍ୟୁରୋ ) ; ଆଉ ନାହାନ୍ତି କେରଳର ହିରୋ । କେରଳରେ ସୃଷ୍ଟି ହୋଇଥିବା ବନ୍ୟାରେ ଶହ ଲୋକଙ୍କ ଜୀବନ ବଞ୍ଚାଇଥିବା ଜଣେ ଯୁବକଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ଯୁବକ ଜଣକ ହେଲେ ଜିନେଶ ଜେରୋନ । କେରଳର ପ୍ରଳୟଙ୍କାରୀ ବନ୍ୟା ବେଳେ ସେ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିବାରୁ ତାଙ୍କୁ କେରଳର ହିରୋ ବୋଲି କୁହାଯାଉଥିଲା । ତେବେ ଦୁଃଖର ବିଷୟ ଯେ, ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିବା ଜିନେଶଙ୍କୁ ବଞ୍ଚାଇବାକୁ କେହି ଆଗକୁ ଆସି ନାହାନ୍ତି । ଦୁର୍ଘଟଣା ପରେ ରାସ୍ତାରେ ପଡି ଛଟପଟ ହେଉଥିଲେ ବି ଲୋକମାନେ ଦେଖୁଥିଲେ ସିନା କିନ୍ତୁ ଜିନେଶଙ୍କୁ ବଞ୍ଚାଇବାକୁ କେହି ଆସିନଥିବା ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଯୋଗ୍ୟ , ୨୩ ବର୍ଷୀୟ ଜିନେଶ ଜେରୋନ ତାମିଲନାଡୁର କନ୍ୟାକୁମାରୀ ନିଟକରେ ଗତ ୨୮ ତାରିଖରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ସହ ତାଙ୍କ ସାଙ୍ଗ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଉଭୟେ ରାସ୍ତାରେ ପଡି ଚିକ୍ରାର କରୁଥିଲେ ବି ପାଖରେ ଥିବା ଲୋକମାନେ ତାଙ୍କୁ ସହାୟତା କରିନଥିଲେ । ପାଖାପାଖି ୩୦ ମିନିଟ କାଳ ସେ ରାସ୍ତା ଉପରେ ପଡିରହି ଛଟପଟ ହେଉଥିଲେ ସେ । ରାସ୍ତାରେ ବହୁ ଲୋକ ଯିବା ଆସିବା କରୁଥିଲେ ବି ସେମାନଙ୍କୁ କେହି ସାହାଯ୍ୟ କରିନଥିଲେ । ତେବେ ଶେଷରେ ଆମ୍ବୁଲାନ୍ସ ଆସି ସେମାନଙ୍କୁ ଡାକ୍ତରଖାନା ନେଇଯାଇଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । କେରଳର ହିରୋ ଜିନେଶ ପ୍ରାଣ ହରାଇଥିବା ବେଳେ ତାଙ୍କ ସାଙ୍ଗ ଚେତାଶୁନ୍ୟ ହୋଇଯାଇଥିଲେ ।
ସେପଟେ ତାଙ୍କ ମୃତ୍ୟୁ ଖବର ପାଇ ବହୁ ସଂଖ୍ୟକ ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ । ବନ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ଜିନେଶ ବହୁ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କ ମୃତ୍ୟୁରେ ବହୁ ଲୋକଙ୍କ ଆଖିରେ ଲୁହ ଆସିଥିଲା । ତାଙ୍କ ସାହସ ଓ ସାହାର୍ଯ୍ୟ ବିଷୟରେ ସେ ସମୟରେ ବହୁ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା । ତାଙ୍କ କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଜିନେଶଙ୍କ ଅନ୍ତିମ ସଂସ୍କାର ଗତ ରବିବାର ଦିନ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।