ଭୁବନେଶ୍ୱର (ଏଟିଆର ବ୍ୟୁରୋ) : କୁହାଯାଏ ଗାଁ ପରିମଳ ଧୋବା ତୁଠରୁ । ଠିକ ସେମିତି ଥାନାର ହାଲଚାଲ କେମିତି ଚାଲିଛି ତାହା ଥାନା ଅଧିକାରୀଙ୍କ ଚ୍ୟାମ୍ବରରୁ ଭଲ ଭାବେ ଜଣାପଡିଯାଏ । ଅନ୍ୟକୁ ଠିକ ଭୁଲ ଓ ଆଇନ କାନୁନର ପାଠ ପଢ଼ାଉଥିବା ଥାନାବାବୁ ହିଁ ଥାନା କେମିତି ଚାଲିଛି ତାହା ଜଣାଇ ଦିଅନ୍ତି । ଯାହାକୁ ନେଇ ପ୍ରାୟ ସବୁ ଥାନାବାବୁ ମାନେ ସିରିୟସ ଥାଆନ୍ତି । ହେଲେ କମିଶନରେଟ ପୁଲିସରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିିଳିଛି । ଆଇଆସିଙ୍କ ଚ୍ୟାମ୍ବରରେ ଦେଖିବାକୁ ମିଳିଛି ଅଭିଯୁକ୍ତଙ୍କୁ । ଜେରା କି ପଚରାଉଚୁରା ପାଇଁ ନୁହେଁ ବରଂ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଏବେ ଚର୍ଚ୍ଚାରେ ରାଜଧାନୀର ଜଣେ ଥାନାବାବୁ ।
ପୁରା ଘଟଣାଟି ଏମିତି । ରାଜଧାନୀକୁ ଆସିଛନ୍ତି ଜଣେ ନୂଆ ଥାନାବାବୁ । ରୁରାଲରୁ ଅର୍ବାନକୁ ଆସିଥିବା ବାବୁ କିନ୍ତୁ ନିଜର ହରକତରେ ପରିବର୍ତ୍ତନ ଆଣିପାରି ନାହାଁନ୍ତି । ଯାହା ତାଙ୍କୁ ଅଡୁଆରେ ପକାଇ ଦେଇଛି । ଭୁବନେଶ୍ୱରର ଭିଆଇପି ଜୋନରେ ଥିବା ଏକ ଥାନା ବାହାରେ ଗତକାଲି ସଂଧ୍ୟାରେ ଜମିଥିଲା ଗହଳି । ଭିତର ଜାମ୍ ଆଉ ବାହାରେ ଆଇଆଇସିଙ୍କୁ ଅପେକ୍ଷା କରିଥିଲେ କିଛି ବରିଷ୍ଠ ନାଗରିକ । ସମୟ ଗଡୁଥାଏ ହେଲେ ଆଇଆଇସିଙ୍କ ଚ୍ୟାମ୍ବର ଭିତରୁ ବାହାରୁ ନଥାନ୍ତି ତାଙ୍କୁ ଭେଟିବାକୁ ଯାଇଥିବା କିଛି ଲୋକ । ବୁଝୁବୁଝୁ ଜଣାପଡିଲା ସେମାନେ ଥିଲେ ଅଭିଯୁକ୍ତ ।
ବିଭିନ୍ନ ସଂଗୀନ ମାମଲାରେ ଅଭିଯୁକ୍ତ ଥିବା କିଛି ହାର୍ଡକୋର କ୍ରିମିନାଲଙ୍କୁ ମୃଦୁପାନୀୟ ଦେଇ ଆପାୟିତ କରୁଥିଲେ ଆଇଆଇସି । ହାସ୍ୟରୋଳରେ ଫାଟି ପଡୁଥିଲା ଚ୍ୟାମ୍ବର । ଏମିତିକି ମଝିରେ ମଝିରେ ଆଉ କଣ ନେବ ବୋଲି କୁଆଡେ ଆଇଆଇସି କହୁଥିବା ଶୁଭୁଥିଲା ବାହାରକୁ । ଖାଲି କଣ ଏତିକି, ଏହି ଅଭିଯୁକ୍ତମାନେ ଯେତେବେଳେ ଥାନା ଭିତରକୁ ଯାଇଥିଲେ ସେମାନଙ୍କୁ ସେଂଟ୍ରି କୁଆଡେ ଓ କାହାକୁ ଭେଟିବେ ବୋଲି ପଚାରିଥିଲେ । ହେଲେ ଆଇଆଇସି ଅଛନ୍ତି କହି କଲର ଟେକି ବାବୁମାନେ ପଶିଥିଲେ ଚ୍ୟାମ୍ବର ଭିତରକୁ । ଯାହା ତାଜୁବ କରି ପକାଇଥିଲା ସମସ୍ତଙ୍କୁ । ତେବେ ଢ଼େର ସମୟ ଯାଏ ଚ୍ୟାମ୍ବର ଭିତରେ କଥାବାର୍ତ୍ତା ପରେ ଆଇଆଇସିଙ୍କ ସହ ଅଭିଯୁକ୍ତମାନେ ବାହାରିଥିଲେ ବାହାରକୁ । ଆଉ ସେମାନଙ୍କୁ ବନ୍ଧୁ ଭଳି ବିଦାୟ ଜଣାଇବାକୁ ଥାନା ବାହାରକୁ ଆସିଥିଲେ ଆଇଆଇସି ।
କମିଶନରେଟ ପୁଲିସ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏମାନଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା ଅପରାଧି ବୋଲି ଜଣାପଡିଥିଲା । ହେଲେ ଏସବୁ ଭିତରେ ଥାନାବାବୁ ଜଣକ ଏହି ଅଭିଯୁକ୍ତମାନଙ୍କ ସହ ଏତେ ଗହିରୀଆ ସଂପର୍କ ଦେଖାଇବା ଓ ଚା’ପାଣିରେ ଆପାୟିତ କରିବାର କାରଣଟା କଣ ତାହା ନା ଥାନାର କର୍ମଚାରୀ ବୁଝି ପାରୁଛନ୍ତି ନା ବାହାର ଲୋକ । କିନ୍ତୁ ବାବୁଙ୍କ ଏହି ହରକତର କାହାଣୀ ବଡବାବୁଙ୍କ କାନରେ ପଡିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।