ପୁଣେ (ଏଟିଆର ବ୍ୟୁରୋ ) ; ରାସ୍ତା ଉପରେ ଛିଡା ହୋଇ ଟ୍ରାଫିକର ସିଗନାଲକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଭାଗ୍ୟରେ ଲେଖାଥିଲା ଏଭଳି ଅଚାନକ ମୃତ୍ୟୁ । କେହି କିଛି ଜାଣିବା ପୂର୍ବରୁ ଉପରେ ପଡିଗଲା ଏକ ବଡ ହୋଡିଂ । ଫଳରେ ଅକାରଣେ ଚାଲିଗଲା ୪ ଟି ଜୀବନ । ଏଭଳି ଦୁଃଖଦ ଘଟଣା ପୁଣେର ବ୍ୟସ୍ତ ବହୁଳ ଅଞ୍ଚଳରେ ଘଟିଛି ।
ସୂଚନା ଅନୁସାରେ , ପୁଣେର ଏକ ରାସ୍ତା ଉପରେ ବେଆଇନ ଭାବେ ଏକ ହୋଡିଂ ଲାଗିଥିଲା । ତେବେ ରେଳବାଇ ପକ୍ଷରୁ ଲଗାଯାଇଥିବା ହୋଡିଂଟିକୁ ସ୍ତାନାନ୍ତର ନିମନ୍ତେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ । ହେଲେ କାଯ୍ୟରତ ଶ୍ରମିକଙ୍କ ବେପାରୁଆ ନୀତି ଯୋଗୁ ଅଚାନକ ହୋଡିଂଟି ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡିଯାଇଥିଲା । ତେବେ ପୂର୍ବରୁ ରାସ୍ତାରେ ବହୁ ବାଇକ ଆରୋହୀ ସମେତ ଅନେକ ଯାନବାହାନ ଛିଡା ହୋଇଥିଲେ । ହୋଡିଂ ଟି ସିଧା ଯାଇ ସେମାନଙ୍କ ଉପରେ ପଡିଥିଲା । ଘଟଣାସ୍ଥଳେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପାଖାପାଖି ୧୧ ଜଣ ବ୍ୟକ୍ତି ଗୁରୁତ୍ତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲେ ହେଁ ସେମାନଙ୍କ ମଧ୍ୟରୁ ଅନେକଙ୍କର ସ୍ୱାସ୍ଥ୍ୟବସ୍ତାରେ ଏଯାଏଁ ସୁଧାର ଆସିପାରିନଥିବା ଜଣାପଡିଛି । ମୃତକ ମାନେ ହେଲେ ଶିବାଜୀ ଦେଭିଦାସ ପରେଦେଶୀ (୪୦), ଭୀମରାଓ ଗଙ୍ଗାଧର କାସର (୪୭), ଶାମ ରାଜାରାମ ଧୋତ୍ରେ (୪୮) ଓ ଜାବେଦ ମସିବୁଦ୍ଧିନ୍ ଖାନ୍(୪୯)।
ସେପଟେ ଦୁର୍ଘଟଣା ସମୟରେ ରାସ୍ତା ଉପରେ ୬ଟି ଅଟୋ , ଦୁଇଟି ମୋଟର ସାଇକେଲ ସମେତ ଗୋଟିଏ କାର ଛିଡା ହୋଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ମୃତକଙ୍କୁ ରେଳବାଇ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଗୁରୁତର ଆହତ ମାନଙ୍କ ପାଇଁ ରେଳବାଇ ପକ୍ଷରୁ ୧ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ସେହିପରି ସାମାନ୍ୟ ଆହତ ମାନଙ୍କୁ ରେଳବାଇ ୫୦ ହଜାର ଟଙ୍କା ସହାୟତା ଦେବ ବୋଲି ଜଣାପଡିଛି । ଅନ୍ୟପଟେ ଘଟଣା ସ୍ଥଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଦୁଇଜଣ ଠିକାଦାରଙ୍କ ନାମରେ ମାମଲା ରୁଜୁ କରିଛି ।