ମୁମ୍ବାଈ,(ଏଟିଆର ବ୍ୟୁରୋ): ବେଶ କିଛି ଦିନ ହେବ ଶ୍ରୀଲଙ୍କା କୁଇନ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏକ ରେସ୍ତୋରାଁ ଖୋଲୁଛନ୍ତି ବୋଲି ଖବର ଆସିଥିଲା । ତେବେ ଏହା କେତେ ସତ କେତେ ମିଛ ତା’ର ପ୍ରମାଣ ନଥିବାରୁ ସମସ୍ତେ ଚୁପ ଥିଲେ ।
ଭଲା ବଲିଉଡର ନାମୀ ଅଭିନେତ୍ରୀଙ୍କ ମଧ୍ୟରେ ନିଜକୁ ସାମିଲ କରିବା ପରେ ରେସ୍ତୋରାଁ ତିଆରି ପିଛା କାହିଁକି ଯିବେ ସେ? ଏ ପ୍ରଶ୍ନ ତ ସମସ୍ତଙ୍କ ମନରେ ଉଙ୍କି ମାରିିଥିଲା । ହେଲେ ଏବେ ଘଟଣାର ପର୍ଦ୍ଦାଫାଶ ହୋଇଛି । ସତକୁ ସତ ଜ୍ୟାକଲିନ ମୁମ୍ବାଈରେ ଏକ ଥାଇ ରେସ୍ତୋରାଁ ଖୋଲିଥିବା ଦେଖିବାକୁ ମିଳିଛି ।
ନିଜର ଜଣେ ଘନିଷ୍ଠ ବାନ୍ଧବୀଙ୍କ ସହ ମିଶି ସେ ଏହି ରେସ୍ତୋରାଁ ଖୋଲିଛନ୍ତି । ଭାବୁଥିବେ ଜ୍ୟାକଲିନଙ୍କୁ ପୁଣି କେଉଁଆଡୁ ଆର୍ଥିକବସ୍ଥା ଖରାପ ପଡ଼ିଲା ଯେ ରେସ୍ତୋରାଁ ଖୋଲିବାକୁ ଚାଲିଗଲେ । ପ୍ରକୃତରେ ସେ କୌଣସି ଅଭାବ ପରିସ୍ଥିତିରେ ପଡ଼ି ଏହା ଖୋଲି ନାହାନ୍ତି ବରଂ ସଉକ ପାଇଁ ଖୋଲିଥିବା ଚର୍ଚ୍ଚା ଜୋର ଧରିଛି ।
କଥା ହେଲା, ଜ୍ୟାକଲିନଙ୍କର ଥାଇ ବ୍ୟଞ୍ଜନ ଖୁବ ପ୍ରିୟ । ଯେବେ ବି ଅଭିନୟରୁ ବ୍ରେକ ମିଳେ ଥାଇ ବ୍ୟଞ୍ଜନ ଖାଇବାକୁ ବାହାରିପଡ଼ନ୍ତି । ହେଲେ ବହୁ କଷ୍ଟରେ ଗୋଟିଏ କି ଦୁଇଟି ସ୍ଥାନରେ ତାଙ୍କ ମନପସନ୍ଦର ଖାଇବା ମିଳେ । ଏଭଳି ସମସ୍ୟାକୁ ଏଡ଼ାଇବାକୁ ଯାଇ ନିଜେ ହିଁ ଖୋଲିଦେଲେ ‘ଥାଇ ରେସ୍ତୋରାଁ’ ।
ଏଣିକି ଯେବେ ବି ଇଚ୍ଛା କରିବେ ନିଜ ରେସ୍ତୋରାଁରେ ଖାଦ୍ୟ ପରଷି ଖାଇପାରିବେ । କେବଳ ସେତିକି ନୁହେଁ, ଆଗକୁ ସେ ଶ୍ରୀଲଙ୍କାରେ ମଧ୍ୟ ଏଭଳି ଏକ ରେସ୍ତୋରାଁ ଖୋଲିବାକୁ ନେଇ ଯୋଜନା ରଖିଛନ୍ତି । ଏବେ ଶୁଣୁଥିବା ଲୋକ ଜ୍ୟାକଲିନଙ୍କ ବୁଦ୍ଧିକୁ ତାରିଫ ନ କରି ରହିପାରୁ ନାହାନ୍ତି ।