ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନିଜର ଗୁଣଗାରିମା ଦେଖାଇହେବା ଲାଗି ପିଲାଙ୍କୁ କେତେ ଯେ କଷ୍ଟ ଦେଇପାରେ କିସ ତାହାର ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଉଦୁଉଦିଆ ଖରାରେ ପିଲାଙ୍କୁ ସିଝିବାକୁ ପଡିଛି । ଭୋଜନ ଆଳରେ ଘଁଟାଘଁଟା ପିଲା ଝାଳନାଳରେ ଗାଧୋଇଛନ୍ତି । ଯାହାକୁ ଦେଖି ଅଣଦେଖା କରିଛନ୍ତି ସମସ୍ତେ ବୋଲି ଆଲୋଚନା ଜୋର ଧରିଛି ।
କିସ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା ଏକ ସମୁହ ଭୋଜନ କାର୍ଯ୍ୟକ୍ରମ । ଉଦ୍ଦେଶ୍ୟ ଥିଲା ୪୫ମିନିଟରେ ୩୦ହଜାର ପିଲାଙ୍କୁ ଅତି ସୁନ୍ଦର ଭାବେ କିଭଳି ଖାଇବାକୁ ଦିଆଯାଇପାରୁଛି । ଏଥିରେ ସାମିଲ ଥିଲେ ଅନେକ ବଡ଼ବଡ଼ିଆ ମୁଣ୍ଡି । ରାଜ୍ୟ ନୁହେଁ ବରଂ ୫୩ ଦେଶର ପ୍ରତିନିଧି ସାମିଲ ରହିଥିଲେ । ଏତିକି ନୁହେଁ ବ୍ରିିଟିସ କାଉନସିଲର ମଧ୍ୟ ରହିଥିଲେ । କାର୍ଯ୍ୟକ୍ରମ ତ’ ବେଶ ଜାକଜକମରେ ଅନୁଷ୍ଠିତ ହୋଇଥିଲା କିନ୍ତୁ ନାକରେ କାନ୍ଦିଥିଲେ ଛାତ୍ରଛାତ୍ରୀ । ନା କାହାକୁ କହିପାରୁଥିଲେ ନା’ ସହିପାରୁଥିଲେ । ବିଚରା ଖରାରେ ସମସ୍ତେ ସିଝୁଥିଲେ । ସିଧା କହିବାକୁ ଗଲେ ପୂରା ଘଟଣାରେ କେବଳ ପିଲାଙ୍କୁ ଢ଼ାଲ ବନାଯାଇଛି ।
ଅହେତକୁ ଅନୁକମ୍ପା ପାଇବା ଆଶାରେ କିସ ଯେ ନିରିହ ପିଲାଙ୍କୁ କିଭଳି ଗଞ୍ଜଣା ଦେଇପାରେ ତାହା ଏଥିରୁ ସହଜେ ଅନୁମେୟ । କିସର ଏଭଳି ନାଟକ ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଅନେକ ଘଟଣା ଦେଖିବାକୁ ମିଳିଛି । କେତେବେଳେ ନିଜର ବଡ଼ପଣିଆ ଦେଖାଇବା ଲାଗି ପିଲାଙ୍କୁ ରାସ୍ତାରେ ଚଲାଯାଇଛି ତ’ ପୁଣି କେତେବେଳେ କିସ ଗ୍ରାଉଣ୍ଡରେ ଘଁଟାଘଁଟା ଛିଡା କରାଯାଇଛି । ତେବେ ଆଜିକାର ଘଟଣା କିନ୍ତୁ ସବୁ ସୀମା ଟପିଯାଇଛି । ଯାହାକୁ ଅତି ନିକଟରୁ ପରଖିଛି ଏଟିଆର ଟିମ । ମୁଣ୍ଡଫଟା ଖରାରେ କିଭଳି ପିଲା ଦହଗଞ୍ଜ ହୋଇଛନ୍ତି ତାହାର ବାସ୍ତବ ଚିତ୍ରକୁ ପରଖିଛି ।
ଯେଉଁଠି ଷ୍ଟେଜ ଉପରେ ବସିଥିବା ବାବୁମାନେ ଜୁସ ପିଇ ଭାଷଣ ଝାଡି ସମୟ ଗଡାଉଥିଲେ ସେତେବେଳେ ପିଲାମାନେ ଅପେକ୍ଷା କରିଥିଲେ ଗଣ୍ଡେ ଖାଇବା ଲାଗି । ହେଲେ ପିଲାଙ୍କ କଥା ଶୁଣିବ କିଏ? ନିଜ ସ୍ୱାର୍ଥ ଲାଗି ବିଦେଶୀ ପ୍ରତିନିଧିଙ୍କ ଆଗରେ ପିଲା ଯେଭଳି ଖରାରେ ଡହଳବିକଳ ହେଉଥିଲେ ତାହା ଅତ୍ୟନ୍ତ ର୍ଦୁଭାଗ୍ୟର ବିଷୟ ବୋଲି ମତ ପ୍ରକାଶ ପାଇଛି ।