ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାମାନ୍ୟ ଟିକେ ଅନ୍ୟମନସ୍କ ହେଲେ କଥା ସରିଲା । କୌଣସି ମୁହୁର୍ତ୍ତରେ ଘଟିପାରେ ଦୁର୍ଘଟଣା । ଜିଜିପି କଲୋନୀ ପାଖରୁ ନେଇ ଭାୟା ଜଗନ୍ନାଥନଗର ଦେଇ ଝାରପଡ଼ା ଯିବାକୁ ଚାହୁଁଥିଲେ ହରଦମ୍ ସର୍ତର୍କ ରୁହନ୍ତୁ । ରାସ୍ତା ନୁହେଁ ତ ଏ ପୂରା ମରଣଯନ୍ତା । ସମସ୍ୟା ଆଜିକାର ନୁହେଁ ଢ଼େରଦିନର । ଦୀର୍ଘବର୍ଷ ହେବ ରାସ୍ତାଟିର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।
ପୁରା ଘଟଣା ଜାଣିବା ପାଇଁ ଏଟିଆର ନ୍ୟୁଜ କରିଥିଲା ଗ୍ରାଉଣ୍ଡଜିରୋ ରିପୋର୍ଟ । ସ୍ଥାନୀୟ ଲୋକଙ୍କୁ ପଚାରି ଜାଣିବାକୁ ପାଇଥିଲା ଯେ, କେଉଁଠି ସ୍ୱରେଜ୍ ଲାଇନର ସ୍ଲାବ ରାସ୍ତାକୁ ଉଠିକି ରହିଛି ତ’ ଆଉ କେଉଁଠି ରାସ୍ତାସାରା ଅସଂଖ୍ୟ ହମ୍ପସ । କେବଳ ଏତିକି ନୁହେଁ ରାସ୍ତା ସାରା ଖାଲଖମା ତ’ ଲୋକଙ୍କ ହୋସ୍ ଉଡାଇ ଦେଉଛି । ଏସବୁ କାରଣରୁ ରାତି ପାହିଲେ ଅନେକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ସବୁଠୁ ମୁଣ୍ଡ ବିନ୍ଧାର କାରଣ ତ’ ସେତେବେଳେ ହେଉଛି ଯେତବେଳେ ବର୍ଷାଦିନ ଆସୁଛି । ଡ୍ରେନେଜ୍ ନଥିବାରୁ ରାସ୍ତାରେ ଲହଡ଼ି ମାରୁଛି ଅଳିଆ ଆବର୍ଜନା ପାଣି । ବେଳେ ବେଳେ ସେହି ପାଣି ଘରେ ପଶିଯାଇ ନାକେଦମ କରୁଥିବା ସ୍ଥାନୀୟ ଲୋକେ ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି ।
ଲଗାତାର୍ ଅଭିଯୋଗ ହେଉଥିଲେ ବି କେହି ଶୁଣୁ ନଥିବା ଲୋକେ କହିଛନ୍ତି । ସେପଟେ ଏହି ବାଟ ଦେଇ ହରଦମ ଦୌଡୁଛି ପୁଣି ଖୋଦ ବିଏମସି ଅଧିକାରୀଙ୍କ ଗାଡ଼ି । କଣ୍ଟା ୨୦ ଉପରକୁ ଉଠୁ ନଥିବା ବେଳେ ଗାଡ଼ି ପୁଣି ଦୋହଲିଲା ପରି ଯାଉଛି । ତଥାପି ବାବୁଙ୍କ ନିଦ ନଭାଙ୍ଗିବା ପ୍ରମାଣ କରୁଛି ଆନ୍ତରିକତାର ଅଭାବ ଯୋଗୁ ରାସ୍ତାଟି ଏପରି ଅବହେଳାରେ ପଡି ରହିଛି ।
୨୦୧୩ ଜାନୁଆରୀ ମାସ ୮ ତାରିଖ । ଜଗନ୍ନାଥନଗର ରାସ୍ତା ଉନ୍ନତିକରଣ ପାଇଁ ବିଭାଗୀୟ ଅଧିକାରୀ ଅଣ୍ଟା ଭିଡ଼ିଲେ । ୱାର୍ଡ଼ ନମ୍ବର-୧୯ରେ ପହଞ୍ଚି ରାସ୍ତା କାମ କରିବା ନେଇ ନାମ ଫଳକ ମଧ୍ୟ ଖଞ୍ଜିଲେ । ଲୋକଙ୍କୁ ସ୍ୱପ୍ନ ଦେଖାଇଲେ ଆଉ ଏଭଳି ସମସ୍ୟା ରହିବନି । ହେଲେ ଏହାରି ଭିତରେ ବିତିଗଲାଣି ୪ବର୍ଷ । କିନ୍ତୁ ଲୋକଙ୍କ ସ୍ୱପ୍ନ ଆଜିଯାଏଁ ସାକାର ହୋଇନି । ଓଲଟି ନାମଫଳକ ଉପରେ ଏବେ ମଳି ଜମିଗଲାଣି ।
ସମସ୍ୟା ଏଇଠି ସରିନି । ଏହି ରାସ୍ତାରେ ରହିଛି ପୁଣି ୪ଟି ବିଦ୍ୟାଳୟ ସାଙ୍ଗକୁ ଏକ ଘରୋଇ ହସପିଟାଲ । ସେଥିର ପୁଣି ଏହି ରାସ୍ତା ଦେଇ ଅନେକ ଘରୋଇ ସ୍କୁଲ ବସ ଚାଲୁଛି । ଯେଉଁଥିରେ କୋମଳମତୀ ଶିଶୁମାନେ ରାତି ପାହିଲେ ଯାଉଛନ୍ତି । ରାସ୍ତାର ଅବସ୍ଥା ସାଙ୍ଗକୁ ଗାଡି ଢ଼ଳିଢ଼ଳି ଯାଉଥିବା ଦେଖି ସ୍ଥାନୀୟ ଲୋକେ ବି ଆଖି ଖୋସି ପକାଉଛନ୍ତି । କୌଣସି ସମୟରେ ଗାଡି ନଓଲଟି ପଡିବ ତାହା କିଏ କହିବ ।
ରିପୋର୍ଟ କହୁଛି ଏହି ରାସ୍ତାରେ ଗତ ମାସକ ଭିତରେ ୮ରୁ ଅଧିକ ଥର ଦୁର୍ଘଟଣା ଘଟିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍ମାଟସିଟିର ସ୍ୱପ୍ନ ଦେଖୁଛି ଭୁବନେଶ୍ୱର । କିନ୍ତୁ ଜଗନ୍ନାଥନଗରର ରାସ୍ତା ଓ ପରିମଳ ବ୍ୟବସ୍ଥାକୁ ଦେଖିଲେ ଏହି ସ୍ୱପ୍ନ କେତେଦୂର ସାକାର ହୋଇଛି ତାହା ବାରିହୋଇ ପଡୁଛି । ଖାଲି ଏତିକି ନୁହେଁ ରାସ୍ତା ମଝିରେ ଥିବା ସବୁ ଡଷ୍ଟବିନ ଭାଙ୍ଗିରୁଜି ଯାଇଛି । ଫଳରେ ଲୋକେ ଅଳିଆ ଆବର୍ଜନା ରାସ୍ତାରେ ଫିଙ୍ଗୁଛନ୍ତି । ପ୍ରତ୍ୟେକ ଦିନ ଅଳିଆ ଗାଡି ଆସୁନଥିବାରୁ ଏହି ଅଳିଆ ଗୁଡ଼ିକ ବେଳେ ବେଳେ ରାସ୍ତା ଉପରେ ମଧ୍ୟ ଜମି ରହୁଛି । ଏଠି ପ୍ରଶ୍ନ ଉଠୁଛି ନିର୍ବାଚିତ ହୋଇଥିବା ଏହି ୱାର୍ଡ଼ରୁ ଜନପ୍ରତିନିଧି ଏସବୁ ସମସ୍ୟା ନେଇ କେବେ ମୁଣ୍ଡ ପୂରାଇଛନ୍ତି କି? ଯଦି ବା ହଁ ତେବେ କାହିଁକି ସମସ୍ୟା କମିବା ପରିବର୍ତ୍ତେ ଲୋକଙ୍କ ମୁଣ୍ଡ ବିନ୍ଧା ବଢ଼ୁଛି ।
ସେପଟେ ଅଭିଯୋଗ ହୋଇଛି ସବୁ ଜାଣିଥିଲେ ମଧ୍ୟ ଜନପ୍ରତିନିଧି ଚୁପ ରହୁଛନ୍ତି । ଝାରପଡ଼ା ଜେଲ ପାଖରୁ ହାଇଟେକ ମେଡିକାଲକୁ ସଂଯୋଗ କରୁଥିବା ଏହି ଜଗନନ୍ନାଥନଗରର ମୁଖ୍ୟ ରାସ୍ତା ବେହାଲ ପଡିଥିବା ଯୋଗୁ ବେଶି ସମମସ୍ୟାରେ ପଡୁଛନ୍ତି ରୋଗୀ । ରାସ୍ତାରେ ଜରୁରୀକାଳୀନ ଗାଡ଼ି ଯିବା ସମ୍ଭବ ହେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯଦି କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତୁରନ୍ତ ଏହା ଉପରେ ନଜର ଦେଇ ରାସ୍ତା ସମସ୍ୟା ଦୂର କରିବା ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି । ଯଦି ଏଥିରେ ଓଲମବିଲମ ହୁଏ ତେବେ ଆଗକୁ ବିଏମସି ଅଫିସ ଘେରାଉ ହେବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ।