ରାଉରକେଲା,(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଠିକ ଆଜକୁ ୪ବର୍ଷ ତଳେ । ରାଉରକେଲାରେ ନିର୍ମାଣ ହେବ ଦ୍ୱିତୀୟ ବ୍ରାହ୍ମଣୀସେତୁ ଏବଂ ସୁପର ସ୍ପେସିଆଲିଷ୍ଟ ହସପିଟାଲ ହେବ ଆଇଜିଏଚ । ହେଲେ ସେହି ପ୍ରତିଶ୍ରୁତି ପାଳନ କରିବା ଦିଗରେ ମୋଦି ସରକାର ସେମିତି କିଛି ପଦକ୍ଷେପ ନେଇନାହିଁ । ଖାସ ଏଥିପାଇଁ ମୋଦିଙ୍କୁ ଏଥରକ ତାଙ୍କ ପ୍ରତିଶ୍ରୁତି ସମ୍ପର୍କରେ ମନେ ପକାଇବା ଲାଗି ଏବେ ଆଗକୁ ଆସିଛି ‘ଲିଡ ରାଉରକେଲା’ ନାମକ ଏକ ସଂଗଠନ । କରିଛି ଅଭିନବ ପ୍ରତିବାଦ । ଆସନ୍ତାକାଲି ୪ବର୍ଷ ପୂର୍ତ୍ତି ଅବସରରେ ମୋଦି କଟକ ଆସୁଛନ୍ତି ।
ଏହା ପୂର୍ବରୁ ମୋଦିଙ୍କୁ ତାଙ୍କ ପ୍ରତିଶ୍ରୁତି ସମ୍ପର୍କରେ ମନେ ପକାଇଦେବା ଲାଗି ସଂଗଠନ ପକ୍ଷରୁ ଆଇଜିଏଚରୁ ଠେକିରେ ମାଟି ଓ ବ୍ରାହ୍ମଣୀ ନଦୀର ପାଣି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯାଇଛି । ତେବେ ଏହାକୁ ନେଇ ପୁଣି ସରଗରମ ହୋଇଛି ରାଜନୀତି । ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ପୂରଣ କରିନଥିବାରୁ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଗୋଟିଏ ପଟେ କ୍ଷୋଭ ପ୍ରକାଶ କରିଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସବୁଦୋଷ ରାଜ୍ୟ ସରକାରଙ୍କ ଉପରେ ଲଦିଛନ୍ତି । ସେ କହିଛନ୍ତି ଆଇଜିଏଚରେ ବର୍ତ୍ତମାନ ୧୦କୋଟି ଟଙ୍କା ଖର୍ଚ୍ଚରେ କାର୍ଯ୍ୟ ଚାଲିଛି । ଯନ୍ତ୍ରପାତି କିଣା ହେଉଛି । ସେତୁ କାମ ମଧ୍ୟ ଚାଲିଛି । ଖୁବ ଶୀଘ୍ର ଏଗ୍ରିମେଣ୍ଟ ହୋଇ ଡେଟ ନିର୍ଦ୍ଧାରଣ ହେବ । ଏସବୁ ଜାଣିବି କିଛି ଲୋକ ଅଯଥାରେ ସ୍ୱର ଉତ୍ତୋଳନ କରୁଥିବା କହିଛନ୍ତି ଜୁଏଲ ଓରାମ ।