ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ମୋଦିଙ୍କୁ ଟାର୍ଗେଟ କଲେ ମନମୋହନ । ବର୍ତ୍ତମାନ ପରିସ୍ଥିତିରେ ଦେଶର ବଡ ବଡ ମୁଦ୍ଦାକୁ ଅସ୍ତ୍ର କରି ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କଳାଧନ ଓ ବିମୁଦ୍ରାକରଣକୁ ନେଇ ମୋଦିଙ୍କ ଉପରେ ବର୍ଷିଛନ୍ତି ମନମୋହନ । ବିଗତ ଚାରି ବର୍ଷରେ ମୋଦି ସରକାର ଦେଇଥିବା ପ୍ରତିଶୃତି ପୂରଣ ହୋଇନାହିଁ ବୋଲି ମନମୋହନ କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲଙ୍କ ଦ୍ୱାରା ଲିଖିତ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗଦେଇ ମନମୋହନ ମୋଦି ସରକାରଙ୍କ ବିଭିନ୍ନ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
ସେ ଦେଶରେ ବେରୋଜଗାରୀ ବଢିଥିବା କହି ସିଧା ମୋଦି ସରକାରଙ୍କୁ ବାଣ ମାରିଛନ୍ତି । ଏହାସହ ସେ ଦେଶରେ ମହିଳା, ଦଳିତ, ଓ ସଂଖ୍ୟାଲଘୁ ଲୋକମାନେ ଅସୁରକ୍ଷିତ ସ୍ଥିତିରେ ରହିଥିବା ଅଭିଯୋଗ କରିଛନ୍ତି । ବିମୁଦ୍ରାକରଣ ଉପରେ କହିବାକୁ ଯାଇ ମନମୋହନ କହିଛନ୍ତି ଯେ , ବିମୁଦ୍ରାକରଣ ଓ ଜିଏସଟିର ଲାଭ କ୍ଷୁଦ୍ର ବ୍ୟବସାୟୀଙ୍କ ପାଖରେ ଏଯାଏଁ ପହଞ୍ଚି ପାରିନାହିଁ । ବିଦେଶରୁ କଳାଧନ ଆସିପାରିନାହିଁ । ଶିଳ୍ପ ଉତ୍ପାଦନ ଓ ରପ୍ତାନୀ ସ୍ଥିର ରହିଛି ।
ଦେଶରେ ଅସୁରକ୍ଷିତ ପରିବେଶ ମଧ୍ୟରେ ମହିଳା , ଦଳିତ ତଥା ସଂଖ୍ୟାଲଘୁ ଲୋକମାନେ ରହିଆସୁଛନ୍ତି । ମୋଦି ସରକାର ପାଇଁ ପଡୋଶୀଙ୍କ ସହ ଭାରତର ସମ୍ପର୍କ ଖରାପ ରହିଛି । ଏକ ଗଣତାନ୍ତ୍ରିକ ଦଳ ଓ ଗଣତାନ୍ତ୍ରିକ ରାଜନୀତିର ମୂଲ୍ୟବୋଧକୁ ସୁରକ୍ଷା ପ୍ରଦାନ କରିବା କଥା ମୋଦି ସରକାର ଯାହା କହିଥିଲେ ତାହାକୁ ଧୀରେ ଧୀରେ ନ୍ୟୁନ କରିବାରେ ଲାଗିଛନ୍ତି ବୋଲି ମନମୋହନ କହିଛନ୍ତି । ମେକ ଇନ ଇଣ୍ଡିଆ ଓ ଷ୍ଟାଟଅପ ଇଣ୍ଡିଆ ଦେଶରେ ସମ୍ପୁର୍ଣ୍ଣ ଫେଲ ମାରିଛି ବୋଲି କହି ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି ମନମୋହନ ।