ବ୍ରହ୍ମପୁର,(ଏଟିଆର ବ୍ୟୁରୋ) : ଭଞ୍ଜନଗର ଅଞ୍ଚଳର ଏକରଡାବାଡି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହା ପୂରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ଜଣେ ଯୁବକ ଜଣେ ନବବଧୂଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକଙ୍କ ନାଁ ପବିତ୍ର ଜେନା ଓରଫ ମିଲ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ବାହାଘରର ୧୦ଦିନ ରେ ନବବଧୂ ଜଣଙ୍କ ସ୍ୱାମୀଙ୍କ ସହ ତାଙ୍କ ବାପଘରକୁ ବୁଲିବାକୁ ଆସିଥିଲେ । ବୁଗୁଡା ଥାନା ଅନ୍ତର୍ଗତ ଏ କରଡାବାଡି ଗାଁରେ ତାଙ୍କ ବାପଘର ।
ଆକ୍ରମଣ କରିଥିବା ଯୁବକ ପବିତ୍ର ଓରଫ ମିଲଙ୍କ ଘର ମଧ୍ୟ ଏକରଡାବାଡି ଗାଁରେ । ତେବେ ଆଜି ସକାଳେ ଘରେ କେହି ନଥିବା ବେଳେ ହଠାତ ମିଲ ନବବଧୂଙ୍କ ଘରେ ପଶିଥିଲା । କୁହାଯାଉଛି ଉଭୟଙ୍କ ମଧ୍ୟ କୌଣସି ଏକ କଥାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ହୋଇ ମିଲ ଏକ ବ୍ଲେଡରେ ନବବଧୂଙ୍କ ତଣ୍ଟିକୁ କାଟି ପକାଇଥିଲା । କେବଳ ଏତିକି ନୁହେଁ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ହସପିଟାଲ ନିଆଯାଇଥିଲେ ମଧ୍ୟ ବାଟରେ ନବବଧୂଙ୍କ ମୃତ୍ୟୁ ହୋଇଛି । ମିଲକୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେନେଇ ଅଧିକ ଖୋଳତାଡ ଜାରି ରହିଥିବା ବୁଗୁଡା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।