ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମଣିଷ ଦିନକୁ ଦିନ ଜଙ୍ଗଲ କାଟି ଜନବସତି ବଢାଇବାରେ ଲାଗିଛି । ସେଥିପାଇଁ ବନ୍ୟଜନ୍ତୁ ମାନେ ଖାଦ୍ୟ ଅଭାବରେ ଜନବସତି ମୁହାଁ ହେଉଛନ୍ତି ।
ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ୱରରେ । ତେବେ ରାଜଧାନୀ ରାସ୍ତାରେ ବନ୍ୟଜନ୍ତୁ ଦେଖାଯିବା କିଛି ନୂଆ କଥା ନୁହେଁ କିନ୍ତୁ ଏ ଦୃଶ୍ୟଟି ଥିଲା ଅତ୍ୟନ୍ତ ମନୋରମ ।
ଭୁବନେଶ୍ୱରର କଳିଙ୍ଗ ଷ୍ଟୁଡିଓ ଛକରେ ଶନିବାର ଦିନ ଦେଖିବାକୁ ମିଳିଥିଲା ପ୍ରାୟ ୧୫ରୁ ଅଧିକ ହରିଣ ପଲ । ଏହି ହରିଣ ମାନେ ପାଖ ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିବା ସ୍ଥାନୀୟ ଲୋକ କହିଛନ୍ତି ।
ତେବେ ହରିଣ ମାନଙ୍କର ଜଳାଶୟରୁ ପାଣି ପିଇବା ସହିତ ଘାସ ଚରୁଥିବାର ଦୃଶ୍ୟ ସ୍ଥାନୀୟ ଲୋକ ମାନଙ୍କୁ ଅଧିକ ଆକୃଷ୍ଟ କରିଥିଲା ।
ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ବାଟରେ ଯାଉଥିବା ବାଟୋଇ ମଧ୍ୟ ଅଟକି ଯାଉଥିଲେ ।
ସେପଟେ ଚନ୍ଦକା ଜଙ୍ଗଲରେ ବନ୍ୟ ଜନ୍ତୁ ମାନଙ୍କ ପାଇଁ ଅନୂକୁଳ ପରିବେଶ ନଥିବାରୁ ପ୍ରାୟ ସମୟରେ ଜଙ୍ଗଲୀ ଜୀବ ମାନଙ୍କୁ ରାସ୍ତାରେ ଦେଖିବାକୁ ମିଳୁଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୂସାରେ ଅନେକ ସମୟରେ ଏହି ଜନ୍ତୁ ମାନେ ରାସ୍ତା ପାର ହେଉଥିବା ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି କିମ୍ବା କୁକୁର କାମୁଡାର ଶିକାର ମଧ୍ୟ ହେଉଛନ୍ତି । ଏଥିପ୍ରତି ଚନ୍ଦକା ବନ୍ୟପ୍ରାଣୀ ବିଭାଗ ଧ୍ୟାନ ଦେବା ନିହାତି ଜରୁରୀ ହୋଇପଡିଛି ।