ଭଦ୍ରକ(ଏଟିଆର ବ୍ୟୁରୋ): ଆଇନ ପଞ୍ଝାରୁ କେବେ କେହି ବର୍ତ୍ତି ପାରିନାହାନ୍ତି । ସେ ବଡ ରାଜନେତା ହୁଅନ୍ତୁ ବା ସହକାରୀ ପଦାଧୀକାରୀ ସମସ୍ତଙ୍କୁ ନିଜ ଭୁଲ ପାଇଁ ଦଣ୍ଡ ମିଳିଥାଏ ।
ଭଦ୍ରକ ଜିଲ୍ଲା ତିହିଡି ବ୍ଳକର ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ମହଙ୍ଗା ପଡିଛି, ହାଇକୋର୍ଟଙ୍କ ନିର୍ଦ୍ଧେଶକୁ ଅବମାନନା କରିବାର ଭୁଲ । ଆଉ ଏହି ଭୁଲର ଦଣ୍ଡ ସ୍ୱରୁପ ଏବେ ତାଙ୍କୁ ସାଧାରଣ ମାଳିଟିଏ ଭଳି ବଗିଚାର ଦେଖାଶୁଣା କରିବାକୁ ପଡିବ ।
ତେବେ ବିଡିଓ ଜଣଙ୍କ ତିହିଡି ବ୍ଳକର ଫତେପୁର ଗାଁ ପାଇଁ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଆସିଥିବା ଅର୍ଥରାଶିକୁ ଅନ୍ୟ ଗାଁକୁ ସ୍ଥାନାନ୍ତରଣ କରିବା ସହିତ ଗୋଟିଏ ପ୍ରକଳ୍ପର ଅର୍ଥକୁ ଅନ୍ୟ ପ୍ରକଳ୍ପରେ ବିନିଯୋଗ କରିଥିଲେ ।
ଏନେଇ ଫତେପୁର ଗ୍ରାମବାସୀ ଅଭିଯୋଗ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣୀ ପାଇଁ ବିଡିଓଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ଜାରି କରିଥିଲେ । ହେଲେ ବିଡିଓ ଶ୍ରୀ ଦେଓ କୋର୍ଟରେ ହାଜର ହୋଇପାରି ନଥିଲେ ଏବଂ ପରେ ହାଜର ହୋଇ ସର୍ତ୍ତମୁଳକ କ୍ଷମା ପାର୍ଥନା କରିଥିଲେ ।
ହେଲେ ହାଇକୋର୍ଟ ତାଙ୍କୁ କ୍ଷମା ନ ଦେଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଯେ କୌଣଷି ଗୋଟିଏ ବଗିଚାରେ ସୁପରଭାଇଜର ଭାବେ କାମ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।