କେନ୍ଦୁଝର,(ଏଟିଆର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରେ ଘଟିଛି ଅଘଟଣ । ଘରର କାନ୍ଥ ଭୁଶୁଡି ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ ଭାସ୍କର ଦେଉରୀ ବୋଲି ଜଣାପଡିଛି । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିଥିବା ସୂଚନା ମିଳିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଉଭୟ ଭାସ୍କର ଏବଂ ତାଙ୍କ ପତ୍ନୀ ତିଳୋତ୍ତମା କାମ ଧନ୍ଦା ସାରି ଶୋଇବାକୁ ଯାଇଥିଲେ । ତେବେ ମଧ୍ୟ ରାତିରେ ଅଚାନକ କାନ୍ଥ ଭୁଶୁଡି ପଡିଥିଲା । କାନ୍ଥ ତଳେ ଚାପି ହୋଇ ରହିଥିଲେ ଭାସ୍କର । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଭାସ୍କରଙ୍କୁ ଉଦ୍ଧାର କରି ହସପିଟାଲ ନେଇଥିଲେ ମଧ୍ୟ ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ତିଳୋତ୍ତମାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଥିବା ଡାକ୍ତରୀ ସୂତ୍ରରୁ ଜଣାପଡିଛି ।