ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆରସିଏମ କଲେଜ କର୍ତ୍ତୃପକ୍ଷଙ୍କୁ ଦାଦାବଟି ମାଗି ୪ଜଣ ଗିରଫ ହେବା ଘଟଣା ଏବେ ନୂଆ ମୋଡ ନେଇଛି । ପୁଲିସ ୱାନସାଇଡ ତଦନ୍ତ କରିଥିବା ଅଭିଯୋଗ ଉଠିଛି । ଏନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ଘଟଣା ପଛର ଆଉ ଏକ କାହାଣୀକୁ ବଖାଣିଛନ୍ତି । ଯାହା ଏବେ ଭାଇରାଲ ହୋଇଛି । ଯୁବତୀଙ୍କ ଅଭିଯୋଗ ପୁଲିସ ଗିରଫ କରିଥିବା ୪ଜଣ ଅଭିଯୁକ୍ତ ନିର୍ଦ୍ଦୋଷ । ତେବେ ଏପରିସ୍ଥଳେ ସତ କ’ଣ ତାକୁ ନେଇ ଉଠିଛି ପ୍ରଶ୍ନ?
ପୂରା ଘଟଣାଟି ଏହିପରି । ୨ଦିନ ତଳେ ଆରସିଏମ କଲେଜ କର୍ତ୍ତୃପକ୍ଷଙ୍କୁ ୧୦ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଥିଲା ପୁଲିସ । ତେବେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଯୁବତୀ ଜଣଙ୍କ କହିଛନ୍ତି । ତାଙ୍କ କହିବାନୁସାରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଇଣ୍ଟରଭ୍ୟୁ ନେବା ବାହାନାରେ ଅସଦାଚରଣ କରିଥିଲେ । ସେ ଏ ସମ୍ପର୍କରେ ତାଙ୍କ ଭାଇମାନଙ୍କୁ ଜଣାଇଥିଲେ । ଏ କଥା ଶୁଣିବା ପରେ ସେମାନେ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ । ଯାହାକୁ ନେଇ ରାଗରେ କର୍ତ୍ତୃପକ୍ଷ ମିଥ୍ୟା ଅଭିଯୋଗ କରି ତାଙ୍କ ଭାଇମାନଙ୍କୁ ଜେଲ ପଠାଇଛନ୍ତି । ଖୁବ ଶୀଘ୍ର ସେ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ରୋକଠୋକ ଜଣାଇଛନ୍ତି ଯୁବତୀ । ସେପଟେ ଏହି ଘଟଣାକୁ ନେଇ ସେ ଆଉ ଏକ ପାଲଟା ପ୍ରଶ୍ନ ମଧ୍ୟ କରିଛନ୍ତି ।
ଅଭିଯୋଗ ଅନୁସାରେ ଯଦି ତାଙ୍କ ଭାଇମାନେ ୭ତାରିଖ ବଟି ମାଗିଥିଲେ ତେବେ ୪ଦିନ କାଳ ଚୂପ ରହି ୧୧ତାରିଖରେ ଅଭିଯୋଗ କରିବା ପଛର କାରଣ କଣ? ତେବେ ସେ ଯାହାହେଉ ପୁଲିସ କେଉଁଠି ନା କେଉଁଠି ଏକପାକ୍ଷିଆ ତଦନ୍ତ କରିଥିବା ଦୃଢ଼ୋକ୍ତି ବାଢ଼ିଛନ୍ତି ଯୁବତୀ । ତୁରନ୍ତ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି ।