ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ଆଉ ଏକ ଘୋଟାଲା ସାମ୍ନାକୁ ଆସିଛି । ଓଏସଆରଟିସି କାହା ସ୍ୱାର୍ଥରେ ଓ କେତେପରିମାଣର ଘୋଟାଲା କରୁଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମେ କହୁଛୁ ଏଜି ଛକ ନିକଟ ଓଏସଆରଟିସି କ୍ୟାମ୍ପସରେ ଥିବା ହିମାଚଁଳ ଜୁସ ସେଁଟର କଥା । ଜୁସ ଦୋକାନ ତ’ ଆଉ ନାହିଁ ସେଠାରୁୁ କିନ୍ତୁ ବିଭାଗ ବେଶ ଭଲ ଘୁସ ପାଉଥିବା ଚର୍ଚ୍ଚା ହେଉଛି । ଯାହାର ତଦନ୍ତ ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ପୁରୁଣା ବସଷ୍ଟାଣ୍ଡ ଲାଗି ଓଏସଆରଟିସି ପାଖରୁ ଟେଣ୍ଡର ନେଇ ତିଆରି ହୋଇଥିଲା ଏହି ହିମାଚଁଳ ଜୁସ ଦୋକାନ । ଉଦ୍ଦେଶ୍ୟ ଥିଲା ଯାତ୍ରୀଙ୍କୁ ଫଳ ରସ ଯୋଗାଇବା । ତେବେ ର୍ଦୁଭାଗ୍ୟ ବସ ଷ୍ଟାଣ୍ଡ ଆଉ ନଥିବା ବେଳେ ଜୁସର ବି ଚିହ୍ନବର୍ଣ୍ଣ ନାହିଁ । କିନ୍ତୁ ସେଠାରେ ମାଦକ ଦ୍ରବ୍ୟଠୁ ନେଇ ଅନେକ ବେପାର ଚାଲିଛି । ଏଠି ପ୍ରଶ୍ନ, ଜୁସ ଦୋକାନ ଲାଗି ଅନୁମତି ମିଳିଥିବା ବେଳେ କାହା ସାହସରେ ଟେଣ୍ଡର ପାଇଥିବା ବ୍ୟକ୍ତି ଏଭଳି କାରବାର କରୁଛନ୍ତି? ଓଏସଆରଟିସି କର୍ତୃପକ୍ଷ ଏଥିରେ ଜଡିତ ନାହାନ୍ତି ତ? କେବଳ ଏତିକି ନୁହେଁ ସବୁଠୁ ବଡ଼ କଥା ହେଉଛି ଏହି ଦୋକାନର ଟେଣ୍ଡର ସରିଥିବା ବେଳେ କାହିଁକି ବିଭାଗୀୟ ଅଧିକାରୀ ଏହା ଉପରେ ପଦକ୍ଷେପ ନେଉନାହାନ୍ତି?
ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବିଭାଗୀୟ ଅଧିକାରୀ ଚୂପ ରହିବା ଏକ ବଡ଼ ଘୋଟାଲାର ଆଭାସ ଦେଉଛି । ସେପଟେ ପୁଣି କିଛିଦିନ ହେବ ଏକ ଆର୍ୟୁବେଦ ସଂସ୍ଥା ନିଜର ଆଖଡା ଜମାଇଛି । ମୋଟା ଅଙ୍କର ଟଙ୍କା ଦେଇ ସଂସ୍ଥା ପାଦ ଥାପିଥିବା ବେଳେ ମାଲିକ ଲାଲେଲାଲ ହୋଇଛି । କିନ୍ତୁୁ ରାଜସ୍ୱ ହରାଇଛି ବିଭାଗ । ଅଭିଯୋଗ ହୋଇଛି ଏହି ଆର୍ୟୁବେଦ ସଂସ୍ଥା ବେନିମୟ ଭାବେ ଚାଲିଛି । ଏସବୁର ତଦନ୍ତ ହେବା ଲାଗି ସବୁ ସ୍ତରରେ ଦାବି ହୋଇଛି ।