ଭୁବନେଶ୍ୱର,୫।୩/(ବ୍ୟୁରୋ): ଟିଭିରେ ଆପଣ ପ୍ରାୟ ସମୟରେ ବିୟୁଟି ଟିପ୍ସର ବିଜ୍ଞାପନ ଦେଖିଥିବେ । ଏହାକୁ କହୁଥିବା ଉପସ୍ଥାପିକା ଜଣଙ୍କ କେତେବେଳେ ବଗିଚା ନହେଲେ ପାର୍ଲର କିମ୍ବା ଘରେ ବସି କହୁଥିବାର ନଜର ଆସିଥିବ । ହେଲେ ମନ୍ଦିରର ପରିଶରରେ ବିୟୁଟି ଟିପ୍ସ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱଭାବିକ । ତା ପୁଣି ଶିବ ମନ୍ଦିର ପରିଶରରୁ । ଘଟଣାଟି ଘଟିଛି ଆମ ରାଜଧାନୀ ଭୁବନେଶ୍ୱରରେ । ଶ୍ରୀଲିଙ୍ଗରାଜ ମନ୍ଦିର ପରିଶରରେ ବିୟୁଟି ଟିପ୍ସ ଦେଇ ଚର୍ଚ୍ଚାକୁ ଆସିଥିବା ଯୁବତୀ ଜଣଙ୍କ ଆଉ କେହି ନୁହେଁ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ । ଶ୍ରୀଲିଙ୍ଗରାଜ ମନ୍ଦିରରୁ ରବିନା ଦେଉଥିବା ବିୟୁଟି ଟିପ୍ସର ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ମିଳିଥିବା ସୂଚନା ମୁତାବକ, ଓଡିଶା ଫିଲ୍ମ ଫେୟାର ଆୱାର୍ଡରେ ଯୋଗ ଦେବା ପାଇଁ ରବିନା ଭୁବନେଶ୍ୱର ଆସିଥିଲେ । ଗତକାଲି ଏହି ଉତ୍ସବରେ ଯୋଗ ଦେଇ ଆଜି ସୋମବାର ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ସେଠାରେ ଦର୍ଶନ କରିବା ପରେ ମନ୍ଦିର ପ୍ରାଙ୍ଗଣରେ ବସିଥିଲେ । ପରେ ସେହିଠାରୁ ଆରମ୍ଭ କରିଥିଲେ ବିୟୁଟି ଟିପ୍ସ । ତାଙ୍କର ଅଙ୍ଗରକ୍ଷୀ ଜଣଙ୍କ ସେହିଠାରେ ଏହାର ଭିଡିଓ ଉତ୍ତୋଳନ କରୁଥିଲେ । ରବିନାଙ୍କ ଏହି କାର୍ଯ୍ୟକଳାପ ମନ୍ଦିରର ପରିଶରରେ ଥିବା କିଛି ଭକ୍ତ ମୋବାଇଲରେ ରେକିର୍ଡିଂ କରିଥିଲେ । ଯାହା ପରେ ଭାଇରାଲ୍ ହୋଇଥିଲା । ମନ୍ଦିର ମଧ୍ୟକୁ ମୋବାଇଲ୍ ନ ନେଇ ଯିବା ପାଇଁ କଡା କଟକଣା ରହିଛି । ଏପରି ପୁଲିସ ମନ୍ଦିରର ବାହାରେ ରହି ଯାଞ୍ଚ ବି କରୁଛି । ସାଧାରଣ ଲୋକଙ୍କ ପାଇଁ ଏପରି ନୀତି ନିୟମ ଥିବା ବେଳେ ଭିଆଇପିଙ୍କ ପାଇଁ କାହିଁକି ପୁଲିସ ଚୁପ୍ ରହିଲା ତାକୁ ନେଇ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି । କେବଳ ସେତିକି ନୁହେଁ କଥାକଥାକେ ସେବାୟତମାନେ ମୁହଁ ଖୋଲୁଥିବା ବେଳେ ଏହି ଭିଡିଓ ରେକିର୍ଡିଂ ସମୟରେ ରବିନାଙ୍କୁ କାହିଁକି କିଏ ମନା କଲେ ନାହିଁ ତାକୁ ନେଇ ସନ୍ଦେହ ଦେଖା ଦେଇଛି ।