ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଢ଼େରଦିନ ହେଲା ପୂରା ଏରିଆ ଘାଁଟିଥିଲି । ଗଳିକନ୍ଦି ମତେ ସବୁ ଜାଣିଛନ୍ତି । ଠକିବା ଅସମ୍ଭବ । ବରଂ ମୋ କଥା ଶୁଣିଲେ ଆହୁରି କମରେ ହୋଇଯିବ । ଏମିତି କିଛି ମନେମନେ ଭାବିନେଇଥିଲେ ଜଣେ ଅତିରିକ୍ତ ଏସିପି । ଖାସ ଏଥିପାଇଁ ତ’ ୬୦କିମି ଦୂରରୁ ଭୁବନେଶ୍ୱର ପହଁଚି ଏକ ଡିଟିଏଚ କନେକ୍ସନ ନେଇଥିଲେ । କିନ୍ତୁ ସେ ଜାଣିନଥିଲେ ଦୋକାନୀ ହିଁ ତାଙ୍କୁ ଚୂନ ଲଗାଇ ଦେବ ।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏକ ଡିଟିଏଚ ଦୋକାନୀ ଚୂନ ଲଗାଇବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଏପଟେ ହାତରୁ ଅଧିକ ଟଙ୍କା ଦେଇ ପୁଲିସ ବାବୁଙ୍କ ମୁଣ୍ଡ ଗୋଲ । ଦୋକାନୀ ଉପରେ ଖାଲି ରକ୍ତ ଚାଉଳ ଚୋବାଉଛନ୍ତି । ଏଟିଆରକୁ ମିଳିଥିବା ରିପୋର୍ଟ ଅନୁସାରେ, ଜଣେ ବରିଷ୍ଠ ଅଧିକାରୀ ପୂର୍ବରୁ ଭୁବନେଶ୍ୱରରେ ରହିଥିଲେ । ରହିବା ସମୟରେ ତାଙ୍କର ଏକ ଡିଟିଏଚ ଦୋକାନୀ ସହ ପରିଚୟ ହୋଇଥିଲା । ତେବେ ଭୁବନେଶ୍ୱରରୁ ୬୦ କିମି ଦୂରକୁ ବଦଳିବା ପରେ ସେଠାରେ ଏକ ଡିଟିଏଚ କନେକକ୍ସନ ନେବା ଲାଗି ମନ ବଳାଇଥିଲେ । ତେଣୁ ଭୁବନେଶ୍ୱରର ଜଣେ ପୁଲିସ କର୍ମଚାରୀଙ୍କୁ କହିଥିଲେ ।
ତେବେ ୧୮୦୦ ଟଙ୍କା ବଦଳରେ ଏଣୁତେଣୁ ଗପ ଶୁଣାଇ ଡିଟିଏଚ ବ୍ୟବସାୟୀ ଜଣଙ୍କ ବରିଷ୍ଠ ପୁଲିସ ବାବୁଙ୍କ ପାଖରୁ ୨୬ଶହ ଟଙ୍କା ନେଇଯାଇଥିଲେ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ଏବେ ପୁଲିସ ବାବୁ ରାଗି ଲାଲ ତକତକ ହୋଇଯାଇଛନ୍ତି । ଯଦିଓ ସେଠାରୁ ଆସି ଏଠି ତୋଡ ଦେଖାଇବା ଆଉ ସହଜ ହୋଇନଥିଲେ ବି ଭୁବନେଶ୍ୱରର ଜଣେ ତଳିଆ ପୁଲିସ କର୍ମଚାରୀଙ୍କୁ କହି ତାକୁ ପାନେ ଦେବା ଲାଗି ଏବେ ଚାପ ପକାଉଥିବା ଖବର ମିଳିଛି ।
ପୁଲିସବାବୁଙ୍କୁ ଏପରି ଚୂନ ଲଗାଇବବା ଘଟଣାକୁ ନେଇ ଏବେ ସବୁଠି ଟୁପୁରୁ ଟାପର ଶୁଣିବାକୁ ମିଳୁଛି ।