ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାସ୍ତାରେ ଦୁର୍ଘଟଣା ହୋଇ କେହି ଆହତ ହେଲେ ପିସିଆର ଭ୍ୟାନର କଚେପୁଅ ବାର । ମିଳିବ ମୋଟା ଅଙ୍କର ଟଙ୍କା । ଘରୋଇ ହସପିଟାଲ ମାନେ ବର୍ତ୍ତମାନ ପିସିଆରକୁ ମଧ୍ୟସ୍ଥି ଭାବେ ରଖିଛନ୍ତି । ହୁଏତ ଏକଥା ଆପଣଙ୍କୁ ବିଶ୍ୱାସ ହୋଇନପାରେ । କିନ୍ତୁ ଏଟିଆର ଅନୁସନ୍ଧାନରୁ ଏମିତି କିଛି ଘଟଣାର ସୁରାକ ମିଳିଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କଲେ ମିଳୁଛି କମିଶନ । ଯେଉଁଥିରେ ଲାଲେଲାଲ ହେଉଛନ୍ତି ପିସିଆର କର୍ମଚାରୀ । ତେବେ ଏନେଇ ଆମେ କେତେକ ଥାନା ଅଧିକାରୀଙ୍କ ମତ ନେଇଥିଲୁ ।
ପ୍ରତେକ୍ଷ୍ୟରେ ନହେଲେ ବି ପରୋକ୍ଷରେ ଆମ କଥାରେ ମୁଣ୍ଡ ଟୁଙ୍ଗାରିଛନ୍ତି ଖୋଦ ଥାନା ଅଧିକାରୀ । ତାଙ୍କ କହିବାନୁସାରେ, ପିସିଆର କଣ୍ଟ୍ରୋଲରୁମ ଜରିଆରେ ମୁଭମେଣ୍ଟ ହେଉଛି । ତେଣୁ ଏନେଇ କୌଣସି ସୂଚନା ମିଳିବା ସମ୍ଭବ ପର ନୁହେଁ । ଏଟିଆର ସର୍ଭେ ରିପୋର୍ଟ କହୁଛି, ଯଦି ଦୁର୍ଘଟଣାରେ ଆହତ ବ୍ୟକ୍ତି ଥିଲାବାଲା ଘର ଲୋକ ପରି ଲାଗେ ତେବେ ପିସିଆର କର୍ମଚାରୀମାନେ ଅବିଳମ୍ବେ ତାଙ୍କୁ ନିକଟସ୍ଥ ଘରୋଇ ହସପିଟାଲରେ ଭର୍ତ୍ତି କରିଦେବେ । ପରିବାର ଲୋକେ ସେଠାରେ ପହଞ୍ଚିବା ବେଳକୁ ବିଲ ଆକାଶ ଛୁଆଁ ହୋଇଥିବ । ଯେଉଁଥିରୁ ଢ଼େର କମିଶନ ପାଇଯିବେ ପିସିଆର କର୍ମଚାରୀମାନେ । ତେବେ ଆହତ ବ୍ୟକ୍ତି ଯଦି ମଳିମୁଣ୍ଡିଆ ଲାଗିବେ ତାହା ହେଲେ ପିସିଆର ଚକା ଗଡିବ କ୍ୟାପିଟାଲ ହସପିଟାଲ ଅଭିମୂଖେ । ଏତିକି ନୁହେଁ ଦୁର୍ଘଟଣାରେ ଅଚେତ ହୋଇଥିବା ଲୋକ ଯଦି ହାବୁଡରେ ପଡେ ତେବେ କଥା ସରିଗଲା । ମୋବାଇଲଠୁ ନେଇ ସବୁ କିଛି ହରିଲୁଟ କରିବାକୁ ବି ପଛାଇବେ ନାହିଁ ଡ୍ୟୁଟି କରୁଥିବା କର୍ମଚାରୀମାନେ ।
ଏ କଥା ଆମେ ନୁହେଁ ବରଂ ବହୁ ଲୋକେ ନିଜ ନାମକୁ ଗୋପନୀୟ ରଖି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପିସିଆର କୁଆଡେ ଯାଉଛି କ’ଣ କରୁଛି ସେନେଇ ସବୁ ତଥ୍ୟ ରଖିବା ଲାଗି ଖଞ୍ଜା ଯାଇଥିଲା ସିସିଟିଭି କ୍ୟାମେରା । ତେବେ ରେକର୍ଡ କହୁଛି, ଏବେ ଅଧିକାଂଶ ପିସିଆରରେ ଏହି କ୍ୟାମେରା କାମ କରୁନାହିଁ । ଯାହା ବେଶ ଖୋରାକ ଯୋଗାଇଛି ଏଭଳି ଦୋନମ୍ବରି କାମ କରିବା ଲାଗି । ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଦିଲିପ ଦେବ
Superb, bold report. ଏହାସହ ଗୋଟେ ଦିଟା ସଦ୍ୟ ଉଦାହରଣ ଦେଇଥିଲେ ବଢ଼ିଆ ହୋଇଥାନ୍ତା। ଆଶା ଆଗକୁ ବି ଏଇଭଳି ନିର୍ଭୀକ ଖବର ଛାପୁଥିବେ evidence ସହ।