ଏଟିଆର ବ୍ୟୁରୋ : ହରିବଂଶ ବନାମ ହରିପ୍ରସାଦ । ରାଜନୀତି ମଇଦାନରେ ଦେଶ ଦେଖିବ ହରି-ହରି ଲଢ଼େଇ । କିଏ ଜିତିବ ଆଉ କିଏ ହେବ ପରାଜିତ । କାହା ପଛରେ ରହିବ କାହାର ସମର୍ଥନ । ରାଜ୍ୟସଭା ଉପସଭାପତି ନିର୍ବାଚନକୁ ମାତ୍ର କିଛି ଘଂଟା ବାକି ଥିବା ବେଳେ ପୁରା ଦେଶରେ ଗରମ ନିର୍ବାଚନୀ ହାୱା ବୋହିଲାଣି । ତେବେ ଏସବୁ ଭିତରେ କିନ୍ତୁ ଜାତୀୟ ରାଜନୀତିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି ।
ରାଜ୍ୟସଭା ଉପସଭାପତି ପଦ ପାଇଁ ଆସନ୍ତା କାଲି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଉପସଭାପତି ପଦକୁ ହାତେଇବା ପାଇଁ ଉଭୟ ଶାସକ ଏନଡିଏ ଓ ବିରୋଧୀ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏନଡିଏ ପକ୍ଷରୁ ଜେଡିୟୁର ସାଂସଦ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ବି.କେ ହରିପ୍ରସାଦ ପ୍ରାର୍ଥୀ ହୋଇଛନ୍ତି । ହରିବଂଶଙ୍କୁ ଜିତାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ପୁରା ଦମ ଲଗାଇ ଦେଇଛନ୍ତି । ବିଭିନ୍ନ ରାଜନୈତିକ ନେତାଙ୍କ ସହ କଥା ହୋଇ ସମର୍ଥନ ମାଗିଛନ୍ତି ନୀତିଶ । ସେହିଭଳି କଂଗ୍ରେସ ମଧ୍ୟ ନିଜର ସବୁ ଶକ୍ତି ଲଗାଇ ଦେଇଛି ହରିପ୍ରସାଦଙ୍କ ବିଜୟ ପାଇଁ ।
ରାଜ୍ୟସଭାର ୨୪୫ ଆସନରୁ ଗୋଟିଏ ସିଟ ଖାଲିଥିବା ବେଳେ ଉପସଭାପତି ବିଜୟ ପାଇଁ ୧୨୩ ସାଂସଦଙ୍କ ସମର୍ଥନ ଆବଶ୍ୟକ । ଉଭୟଙ୍କ ପାଖରେ ଆବଶ୍ୟକ ମୁତାବକ ସଂଖ୍ୟା ନାହିଁ । ତେଣୁ ଅନ୍ୟଦଳ ମାନେ ଏହି ନିର୍ବାଚନରେ ମୁଖ୍ୟ ଭୁମିକା ଗ୍ରହଣ କରିବେ ବୋଲି ଆକଳନ କରାଯାଉଛି ।
ସେପଟେ ଏହି ସମୟରେ ଜାତୀୟ ରାଜନୀତିରେ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରା ବୃଦ୍ଧି ପାଇଛି । ଜଣକ ପରେ ଜଣେ ନେତା ନବୀନଙ୍କ ସହ ଆଲୋଚନା କରିଛନ୍ତି ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ପାଇଁ । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନବୀନଙ୍କ ସହ ଫୋନରେ କଥା ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସେହିପରି ନବୀନଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ କଥା ହୋଇଛନ୍ତି । ଠିକ ସେମିତି ବିରୋଧୀ ଗୋଷ୍ଠୀରୁ ଏନସିପି ନେତା ଶରଦ ପାୱାର ମଧ୍ୟ ସମର୍ଥନ ଆଶାରେ ନବୀନଙ୍କ ସହ କଥା ହୋଇଛନ୍ତି । ସାଧାରଣ ନିର୍ବାଚନକୁ ବେଶୀ ସମୟ ନଥିବା ବେଳେ ଶେଷ ଆଡକୁ ଆସିଥିବା ଏହି ଅଗ୍ନୀପରୀକ୍ଷାରେ ଟିମ ମୋଦିଙ୍କ ସଫଳତାକୁ ନେଇ ଯେତିକି ଚର୍ଚ୍ଚା ନୁହେଁ ବରଂ ବେଶୀ ଫୋକସ ମୋଦି ବିରୋଧୀ ମେଂଟର ଏକତା ଉପରେ ।