ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର ଶେଷରେ ଆଜି ଅପରାହ୍ଣରେ ଖୋଲା ଯାଇଛି । ଯାହା ଆଶା କରାଯାଉଥିଲା, ରତ୍ନଭଣ୍ଡାରରେ ଅନୁରୂପ ଘଟଣା ଘଟିଲା । ରକ୍ଷାଣବେକ୍ଷଣ ଅଭାବରୁ ରତ୍ନଭଣ୍ଡାରର ଛାତ ଓ କାନ୍ଥ ପାଟିକି ଆଁ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ପ୍ରାଧିକୃତ ଯାଁଚକାରୀ ଦଳ କେବଳ ରତ୍ନଭଣ୍ଡାରର ପ୍ରଥମ ଦୁଇଟି କୋଠରି ଯାଁଚ କରିଛନ୍ତି । ଯେଉଁ କଠୋରୀ ପ୍ରକୃତି ଯାଁଚ କରିବା କଥା ଅର୍ଥାତ ଭିତର ଭଣ୍ଡାର ଯାଁଚ ପାଇଁ ଏତେ ତମ୍ବିତୋଫାନ ହୋଇଥିଲେ ମଧ୍ୟ ଏହାକୁ ଖୋଲା ଯାଇନାହିଁ ।
ସେହିପରି ରତ୍ନଭଣ୍ଡାରର ଯାଁଚ ମାତ୍ର ୧୦ରୁ ୧୫ ମିନିଟ ମଧ୍ୟରେ ଶେଷ ହୋଇଯାଇଛି । କିନ୍ତୁ ଏହା ମଧ୍ୟକୁ ଯିବାକୁ ୨୫ ମିନିଟର ସୁରକ୍ଷା ବ୍ୟବସ୍ଥା ଯାଁଚ କରାଯାଇଥିଲା । ବିଶ୍ୱବାସୀ ରତ୍ନଭଣ୍ଡାରର ଭିତର କେଠାରୀ ଖୋଲିବ ବୋଲି ଅପେକ୍ଷା କରିଥିବା ବେଳେ ଯାଁଚକାରୀ ଦଳ ଏହାକୁ ଖୋଲି ନାହାନ୍ତି । ପୂର୍ବରୁ ନତିଶା ନିଯୋଗ ବୈଠକରେ ବାହାର ରତ୍ନଭଣ୍ଡାର ନୁହେଁ ବରଂ ଭିତର ରତ୍ନଭଣ୍ଡାର ଖୋଲାଯାଇ ଏହାର ଛାତ, କାନ୍ଥ ଓ ଚଟଣା ଯାଁଚ ହେବ ବୋଲି ନିଷ୍ପତି ହୋଇଥିଲା । ସେହି ଅନୁସାରେ ଏସଓପି ମଧ୍ୟ ପାଳନ କରାଯାଇଥିଲା, ହେଲେ ବହୁ ଆଡ଼ମ୍ବରରେ ଲଘୁକ୍ରିୟା ପରି ସବୁ କିଛି ମିଳେଇ ଯାଇଛି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦିନ ଠିକ ୧୨ଟା ବେଳେ ଏଏସଆଇର ସଦସ୍ୟମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ୧୭ ଜଣିଆ କମିଟିର ସଦସ୍ୟମାନେ ଏହା ମଧ୍ୟକୁ ପ୍ରବେଶ କରିଥିଲେ ହେଁ ରତ୍ନଭଣ୍ଡାରକୁ ୧୫ ଜଣ ସଦସ୍ୟ ଯାଇଥିଲେ । ପୁରୀ ଏସପି ଡା. ସାର୍ଥକ ଷଡ଼ଙ୍ଗୀ ଡ୍ରେସରେ ଥିବାରୁ ସେ ଏହା ମଧ୍ୟକୁ ଯାଇ ନଥିଲେ । ସେହିପରି ଏଏସଆଇର ଜଣେ ଇଞ୍ଜନିୟର ମଧ୍ୟ ରତ୍ନଭଣ୍ଡାର ମଧ୍ୟକୁ ଯାଇନଥିଲେ । ଯାଁଚ ପରେ ତଢ଼ଉ କରଣ ହିଂମାଶୁ ପଟ୍ଟନାୟକ କହିଛନ୍ତି “ଶ୍ରୀ ମନ୍ଦିର ସ୍ୱତଲିପି ଅନୁଯାୟୀ ଯାଁଚ କରାଯିବା ପରେ ଆମେ ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରିଥିଲୁ ।
ବିଧି ମୁତାବକ ଯାଁଚ କାର୍ଯ୍ୟ କରାଯାଇଛି । କେବଳ ବାହାର ଭଣ୍ଡାର ଯାଁଚ ହୋଇଛି । ଭିତର ଭଣ୍ଡାର ଯାଁଚ ହେଲାନାହିଁ । ବାହାର ଭଣ୍ଡାର ଛାତରେ ଫାଟ ରହିଥିବା ଦେଖିବାକୁ ପାଇଲୁ ।” ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି “ ୧୭ ଜଣ କମିଟି ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ରତ୍ନଭଣ୍ଡାର ମଧ୍ୟକୁ ଯାଇଥିଲେ । ଦିନ ପ୍ରାୟ ୨.୨୫ରୁ ୨.୩୦ ମଧ୍ୟରେ ରତ୍ନଭଣ୍ଡାର ଚାବି ଖୋଲା ଯାଇଥିଲା । ପ୍ରାଧିକୃତ ସଦସ୍ୟମାନଙ୍କୁ ଉପଯୁକ୍ତ ଯାଁଚ କରିବା ପରେ, ଏହା ମଧ୍ୟକୁ ଛଡ଼ା ଯାଇଥିଲା । ଗଜପତିଙ୍କ ପ୍ରତିନିଧି, ନୀତି ପ୍ରଶାସକ ଓ ଭଣ୍ଡାର ମେକାପ ଚାବି ଖୋଲିଥିଲେ । ପ୍ରାଧିକୃତ ସଦସ୍ୟମାନେ ବାହାର ଭଣ୍ଡାର ମଧ୍ୟରେ ସର୍ଚ୍ଚ ଲାଇଟରେ କୋଠରିକୁ ଯାଁଚ କରିଥିଲେ । ଭିତରେ ପ୍ରବଳ ଅଳନ୍ଧୁ ଲାଗିଥିବାରୁ ଝାଡ଼ୁ ମଗାଇ ସଫା କରାଯାଇଥିଲା । ଯାଁଚକାରୀ ଟିମର ସଦସ୍ୟମାନେ ସଫା କରିଥିଲେ । ସଦସ୍ୟମାନେ କାନ୍ଥ ଓ ଛାତକୁ ହାତ ଲଗାଇ ଯାଁଚ କରିଥିଲେ । କାନ୍ଥ ଓଦା ଥିବା ଜଣାପଡ଼ିଛି । ବାହାର ଓ ଭିତର ଭଣ୍ଡାର ମଧ୍ୟରେ ଗୋଟିଏ ଜାଲି କବାଟ ରହିଥିଲା ।
ଏହି ଜାଲି ବାଟେ ଇଞ୍ଜିନିୟରମାନେ ଭିତର ଭଣ୍ଡାରର ସ୍ଥିତି ସର୍ଚ୍ଚ ଲାଇଟ ଦ୍ୱାରା ଅନୁଧ୍ୟାନ କରିଥିଲେ । ବାହାର ପଟୁ ଭିତର ଭଣ୍ଡାର ଯାଁଚ ସମ୍ଭବ ହେବାରୁ, ସଦସ୍ୟମାନେ ଭିତର ଭଣ୍ଡାରକୁ ଯିବାକୁ ଆବଶ୍ୟକ ମନେକଲେ ନାହିଁ । ଏବେ କୋର କମିଟି ସଦସ୍ୟ ଓ ଏଏସଆଇ ସଦସ୍ୟ ବିସ୍ତୃତ ଦେବେ । ଏହାପରେ ଅର୍ଥାତ ଆସନ୍ତାକାଲି ହାଇକୋର୍ଟଙ୍କୁ ଏ ସମ୍ପର୍କରେ ତଥ୍ୟ ଦିଆଯିବ ।” ଏଠି ପ୍ରଶ୍ନ ଉଠୁଛି, ଯଦି ଭିତର ଭଣ୍ଡାର ଓ ବାହାର ଭଣ୍ଡାର ମଧ୍ୟରେ ଜାଲି ଥିଲା, ତା’ହେଲେ ଶ୍ରୀମନ୍ଦିର ପ୍ରଶାସନ ଆଗରୁ କାହିଁକି ଏହା ଜାଣି ନଥିଲା? ଯଦି ଜାଣିଥିଲା, ତା’ହେଲେ ଭିତର ଭଣ୍ଡାର ଖୋଲାଯିବ ବୋଲି କାହିଁକି ପୂର୍ବରୁ କହିଥିଲା? କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ପ୍ରସ୍ତୁତ ହୋଇଥିଲା କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
ଅନ୍ୟପକ୍ଷରେ ଆଜିର ଯାଁଚ ସମୟରେ ଏଏସଆଇ ସଦସ୍ୟ ଜିସି ମିତ୍ର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଯାଁଚ ଚାଲିଥିବା ବେଳେ ସେ ରତ୍ନଭଣ୍ଡାର ମଧ୍ୟରେ ପଡ଼ି ଯାଇଥିଲେ । ତାଙ୍କୁ ଶ୍ରୀମନ୍ଦିର ମଧ୍ୟରେ ଥିବା ଏଏସଆଇ କାର୍ଯ୍ୟାଳୟକୁ ଆଣି ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଏହାକୁ ନେଇ ଏବେ ନାନା ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଜିସି ମିତ୍ର ଆହତ ହୋଇଯିବାରୁ ଅନ୍ୟ ସଦସ୍ୟମାନେ ଭୟରେ ରତ୍ନଭଣ୍ଡାରର ଭିତର କୋଠରି ଖୋଲିଲେ ନାହିଁ ବୋଲି କିଛି ଜଗନ୍ନାଥ ପ୍ରେମୀ କହିଛନ୍ତି ।
Tapas Kumar laha
Very good