କାନାଡା,(ଏଟିଆର ବ୍ୟୁରୋ): କିଛି ବୁଝାସୁଝା ନାହିଁ । କିଏ ଛୋଟ କିଏ ବଡ଼ । ଯାହାକୁ ଦେଖିଲେ ଆଖିବୁଜା ଗୁଳି ଚଳାଇଲେ । ଏଭଳି ଅନ୍ଧାଧୂନ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ୯ବର୍ଷର ଝିଅ ରହିଛି । ତା’ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଆହତ ସମସ୍ତଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ସବୁଠୁ ବଡ଼ କଥା ହେଉଛି ଏଭଳି ଅନ୍ଧାଧୂନ ଗୁଳି ବର୍ଷାଇଥିବା ବ୍ୟକ୍ତି ମଧ୍ୟ ଘଟଣାସ୍ଥଳରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ସେହି ବ୍ୟକ୍ତି ଏପରି ଗୁଳିମାଡ଼ କରିବା ପଛରେ ପ୍ରକୃତ କାରଣ କ’ଣ ତାହା ଏଯାବତ ଜଣାପଡିନାହିଁ ।
ପୁଲିସ ପୂରା ଘଟଣାର ତଦନ୍ତ ଚଳାଇଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି କାନାଡାର ଗ୍ରୀକଟାଉନ ଅଞ୍ଚଳରେ ଥିବା ଏକ ରେଷ୍ଟ୍ରୁରାଣ୍ଟରେ । ପୁଲିସ ରିପୋର୍ଟ ଅନୁସାରେ, ରବିବାର ରାତି ସମୟର କଥା । ସବୁଦିନ ପରି ରେଷ୍ଟ୍ରୁରାଣ୍ଟ ଠିକ ଠାକ ଚାଲିଥାଏ । ଭିତରେ ଥାନ୍ତି ବହୁ ଲୋକ । ତେବେ ଅଚାନକ ଜଣେ ବ୍ୟକ୍ତି ରେଷ୍ଟ୍ରୁରାଣ୍ଟ ଉପରକୁ ମନଇଚ୍ଛା ଗୁଳିମାଡ଼ କରିଥିଲେ । ପାଖାପାଖି ୨୦ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଘଟଣାସ୍ଥଳରେ ଜଣେ ଟଳି ପଡିଥିଲେ । ବାକି ୧୩ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାଟି ପୂରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା ।