ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଗୁରୁବାଣୀ ଶୁଣାଉଛନ୍ତି ଏସଡିପିଓ । ଥାନା ଅଧିକାରୀ ହେଲେ କ’ଣ କ’ଣ, ଆଉ କେମିତି କରିବାକୁ ପଡେ ତାହା ବଖାଣୁଛନ୍ତି । ସିଧା କହିବାକୁ ଗଲେ ଦେହରେ ସିନା ଖାକି ହେଲେ ଅସଲରେ ବାବୁ କରୁଛନ୍ତି ରାଜନେତାଙ୍କ ଚାମଚାଗିରି । ହୁଏତ ଆମ କଥା ବିଶ୍ୱାସ ହୋଇନପାରେ । କିନ୍ତୁ ଏହାର ପ୍ରମାଣ ପାଇଛି ଏଟିଆର । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଖୋଦ ଏସଡିପିଓ ଗଳଗଳ କରି ପୂରା ଘଟଣା ସମ୍ପର୍କରେ ଓଗାଳିଛନ୍ତି । ଯାହାର ଏକ୍ସକ୍ଲ୍ୟୁସିଭ ଅଡିଓ ଲାଗିଛି ଏଟିଆର ନ୍ୟୁଜ ହାତରେ । ଏସଡିପିଓଙ୍କର କେଇପଦ କଥା ହିଁ ପ୍ରମାଣ କରୁଛି, ଜାଣିଶୁଣି ଫସାଯାଇଛି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ।
ଭୁଲ ଥିଲା ଏତିକି ମୃତ୍ୟୁଞ୍ଜୟ ନିଜ ଜିଦରେ ଅଟଳ ରହି କାହାରିକୁ ତେଲ ମାରିନଥିଲେ କି’ ସାଲିସ ବି’ କରିନଥିଲେ । ଯାହା ପାଇଁ ତାଙ୍କୁ ଯେନତେନ ହଟାଇବାକୁ ରଚାଯାଇଥିଲା ଷଡଯନ୍ତ୍ର । ଏ କଥା ଆମେ ନୁହେଁ ବରଂ ଏସଡିପିଓଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୈନିକ ରାଜନେତାଙ୍କ ଲାଗି ବାବୁ ଓଲଟି ଓକିଲାତି କରି ଥାନା ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ଏହାର ମୂଳ କାରଣ ହେଉଛି ବାବୁ ଏସଡିପିଓ ପୂର୍ବରୁ ସେଠାରେ ଥାନା ଅଧିକାରୀ ଥିଲେ । ତେଣୁ ରାଜନେତାଙ୍କୁ ତେଲ ଓ ବିଭିନ୍ନ ଲୋକଙ୍କୁ ହାତ କରି ନିଜର ଆଧିପତ୍ୟ ଦେଖାଉଥିଲେ । ହେଲେ ନୂତନ କରି ଥାନା ଅଧିକାରୀ ଭାବେ ମୃତ୍ୟୁଞ୍ଜୟ ସ୍ୱାଇଁ ଆସିବା ପରେ ବାବୁଙ୍କ ସବୁ ଖେଳ ଖତମ ହୋଇଯାଇଥିଲା । ପୂର୍ବପରି ଆଉ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖାଦି ରହିନଥିଲା । ଯାହା ତାଙ୍କ ଛାତିକୁ ବେଶି ହଟ କରିଥିଲା ।
ତେଣୁ ସେବେଠୁ ଆରମ୍ଭ ହୋଇଥିଲା ଚକ୍ରାନ୍ତ । ଏ କଥା କେତେକ ପୁଲିସ କର୍ମଚାରୀ ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି । ତେବେ ମାସେ ହେବ ଆସିଥିବା ଜଣେ ଥାନା ଅଧିକାରୀଙ୍କୁ ତଡିବା ଲାଗି ଯଦି ଏତେ ରାଜନୀତି ତେବେ ଢ଼େରଦିନ ହେବ ଆଖଡ଼ା ଜମାଇଥିବା ଏସଡିପିଓଙ୍କ କୁଣ୍ଡଳୀ କାହିଁକି କଢ଼ାଯାଉନି ବୋଲି ଓଲଟି ଲୋକେ ପ୍ରଶ୍ନ କରିଛନ୍ତି । ମିଳିଥିବା ଅଡିଓ କ୍ଲିପ ପ୍ରମାଣ କରୁଛି ଏସଡିପିଓ ଜୈନିକ ରାଜନେତାଙ୍କ ଚାଟୁକାର ସାଜିଛନ୍ତି । ତାଙ୍କ କଥାରେ ସେ ଗୋରୁ ଗାଡି ହେଉ କି’ ପଥର ଗାଡି ଘଟଣାରେ ମୁଣ୍ଡ ନପୂରାଇବା ଲାଗି ଥାନା ଅଧିକାରୀଙ୍କୁ କହିଥିଲେ । ହେଲେ ଥାନା ଅଧିକାରୀ ନଶୁଣିବାରୁ ଏସଡିପିଓଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଶୁଣିବାକୁ ମିଳୁଛି ସେହି ରାଗରେ ରାଜନେତାଙ୍କ ସହ ହାତ ମିଳାଇ ଓ ବୃଦ୍ଧାଙ୍କୁ ଢ଼ାଲ କରି ଏହି ଗେମ ଖେଳାଯାଇଛି । ଥାନା ଅଧିକାରୀ ହଟିଗଲେ ପୂର୍ବପରି ଏସଡିପିଓ ସେହି ଇଲାକାରେ ନିଜର କାରସାଦି ଚଳାଇପାରିବେ ।
ବିଲେଇ ଭାଗ୍ୟକୁ ସିକା ଛିଡିବା ପରି ଘଟଣାର ତଦନ୍ତ ନକରି ପୁଲିସ ଡିଜି ମଧ୍ୟ ହଠାତ ପଦକ୍ଷେପ ନେଇଗଲେ । ସସପେଣ୍ଡ କରିଦେଲେ ଥାନା ଅଧିକାରୀଙ୍କୁ । ଏଠି ପ୍ରଶ୍ନ ଡିଜିପି ପୂରା ଘଟଣାର ସତ୍ୟସତ୍ୟ ଯାଞ୍ଚ କରିଥିଲେ କି? ଭାଇରାଲ ଭିଡ଼ିଓରେ ବୃଦ୍ଧାଙ୍କ ଦେହରେ ଥିବା ଚିହ୍ନ ଦୁର୍ଘଟଣା ନା’ ଆଉକିଛି ତାହାର କିଛି ଠୋସ ପ୍ରମାଣ ଅଛି କି? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଜନତା । ସେପଟେ ଡିଜିପିଙ୍କ ଏଭଳି ପଦକ୍ଷେପକୁ ଅନେକ ନାପସନ୍ଦ ମଧ୍ୟ କରିଛନ୍ତି । ଅଭିଯୋଗ ହୋଇଛି ନିଜର ସ୍ୱଚ୍ଛତା ବଜାଇ ରଖିବା ଲାଗି କେବଳ ଡିଜିପି ଏଭଳି ପଦକ୍ଷେପ ନେଇଛନ୍ତି । ସେପଟେ ଯେଉଁ ଥାନା ଅଧିକାରୀଙ୍କ ନାମରେ ଘନଘନ ଅଭିଯୋଗ ଆଣୁଛନ୍ତି ସ୍ଥାନୀୟ ଲୋକେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳକୁ ଡିଜି କାହିଁକି ସ୍ଥାଣୁ ପାଲଟିଯାଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ?
ଉଦାହରଣ ସ୍ୱରୂପ ବ୍ରହ୍ମପୁର ବଡ଼ବଜାର ଥାନା ଅଧିକାରୀଙ୍କୁ ନିଆଯାଇପାରେ । ଥାନା ଅଧିକାରୀଙ୍କୁ ନେଇ କେବଳ ସ୍ଥାନୀୟ ଲୋକେ ନୁହନ୍ତି ବରଂ ବହୁ ପୁଲିସ ଅଫିସର ବି ଅସନ୍ତୋଷ ପ୍ରକାଶ କରୁଛନ୍ତି । ହେଲେ ତାଙ୍କ ଉପରେ ପଦକ୍ଷେପ ନେବାକୁ ଡିଜିପିଙ୍କ ହାତ ଯାଉନି । ଅଥଚ ଯେଉଁ ଅଫିସର ଆଇନସୃଙ୍ଖଳା ପରିସ୍ଥିତି ଓ ଜନତାଙ୍କ ସ୍ୱାର୍ଥ ଲାଗି ଲଢ଼ୁଛି ତାକୁ ବଳି ପକାଇବାକୁ ଆଦୌ ହେଳା କରୁନି ପୁଲିସ ବିଭାଗ । ଯାହାକୁ ନେଇ ଏବେ ପୁଲିସ ମହଲରେ ମଧ୍ୟ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି । ଶୁଣିବାକୁ ମିଳୁଛି ପୁଲିସ କମିଶନର ଥିବା ବେଳେ ଡିଜିପି ଯେତିକି ସାଧାରଣ ଲୋକଙ୍କ ଆସ୍ଥା ଜିତିଥିଲେ ତାହା ଏବେ ଧୀରେ ଧୀରେ କମିବାକୁ ବସିଲାଣି । ରାଜନୈତିକ ଆଳରେ ଓ ନିଜର ସ୍ୱଚ୍ଛତା ବଞ୍ଚାଇ ରଖିବା ଲାଗି ବିଚରା ସଚ୍ଚୋଟ ଅଫିସରଙ୍କୁ ବଳି ନପକାଇବା ଲାଗି ଲୋକେ ଅନୁରୋଧ କରିଛନ୍ତି । ଯଦି ଅଭିଯୋଗ ଉଠୁଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଲେ ସେହି ଆସ୍ଥା ଅତୁଟ ରହିବ ବୋଲି ମତ ପ୍ରକାଶ ପାଇଛି ।