ଭୋପାଲ,(ଏଟିଆର ବ୍ୟୁରୋ): ଏଥରକ ଆଉ ବିହାର ନୁହେଁ ମଧ୍ୟପ୍ରଦେଶର ଭୋପାଲରେ ଥିବା ଏକ ଶେଲଟର ରୁମର ଯୌନ କେଳାଙ୍କାରୀ ଘଟଣା ପଦାକୁ ଆସିଛି । ଯାହା ଚାରିଆଡେ ହଇଚଇ ସୃଷ୍ଟି କରିଛି । ଶେଲଟର ହୋମର ମାଲିକ ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ଦୀର୍ଘଦିନ ହେବ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି ।
ସବୁଠୁ ବଡ଼ କଥା ହେଉଛି ଏହି ନିର୍ଯାତନା ସହିନପାରି ୩ଜଣ ଅନ୍ତେବାସୀ ପ୍ରାଣ ହାରିଥିବା ଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଖୋଦ ଶେଲଟର ରୁମରେ ରହୁଥିବା ଅନ୍ତେବାସୀ ଏହି ବିଷ୍ଫୋରକ ବୟାନ ଦେବା ପରେ ଏହି ଘଟଣା ପଦାକୁ ଆସିଛି । ଅଭିଯୋଗ ପାଇବା ପରେ ପୁଲିସ ଶେଲଟର ହୋମ ମାଲିକ ତଥା ପୂର୍ବତନ ସେନା ଅଫିସରଙ୍କୁ ଗିରଫ କରିଛି । ତାଙ୍କ ବୟସ ପାଖାପାଖି ୭୦ହେବ ବୋଲି ସୂଚନା ମିଳିଛି । ଶେଲଟର ରୁମରେ ରହୁଥିବା ୩ଜଣ ବାଳକ ଓ ୨ଜଣ ଝିଅ ଏହି କେଳାଙ୍କାରୀ ସମ୍ପର୍କରେ ପ୍ରଥମେ ସାମାଜିକ ନ୍ୟାୟ ବିଭାଗକୁ ଜଣାଇଥିଲେ ।
ଏହାପରେ ମାମଲା ଥାନାରେ ପହଞ୍ଚିଥିଲା । ତଦନ୍ତରୁ ଜଣାପଡିଛି ଉଭୟ ବାଳକ ଓ ବାଳିକାଙ୍କୁ ଏଠାରେ ନିର୍ଯାତନା ଦିଆଯାଉଥିଲା । ଜଣେ ବାଳକଙ୍କ ସହ ଶେଲଟର ମାଲିକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାରୁ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ସେଥିରେ ତା’ର ମୃତ୍ୟୁ ହୋଇଥିଲା ବୋଲି ଜଣାପଡିଛି । ଏପରି ଭାବେ ୩ଜଣଙ୍କ ଅକାଳେ ମୃତ୍ୟୁ ହୋଇଥିବା ଖବର ମିଳୁଛି ।
ଶେଲଟର ହୋମଟି ୧୯୯୫ରୁ ପଞ୍ଜିକରଣ ହୋଇଥିବା ବେଳେ ୨୦୦୩ରୁ ଏଠାରେ ୫୮ଜଣ ଝିଅ ଓ ୪୨ଜଣ ବାଳକ ରହୁଥିଲେ ।