ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାହା ସନ୍ଦେହ କରାଯାଉଥିଲା ତାହା ହେଲା । ପଡିଲା କୋପଦୃଷ୍ଟି । ପରିବହନ କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ଏବେ ବଦଳି ହୋଇଛି ଜୁନିୟର ଏମଭିଆଇଙ୍କ । ଆଉ ଚେକିଂ ନୁହେଁ ଏବେ ସେ ଦେବେ ଟ୍ରେନିଂ । ପୂରା ଘଟଣା ହେଉଛି ଗାଡି ଚେକିଂ ବେଳେ ଜଣେ ଜୁନିୟର ଏମଭିଆଇ ଥାର୍ଡଫ୍ଲୋରର ଜଣେ ବରିଷ୍ଠ ଅଧିକାରୀଙ୍କୁ ଅଟକାଇ ଯାଁଚ କରିଥିଲେ । ଯାହା ପାଇଁ ତାଙ୍କୁ ବଦଳି କରାଯାଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଥାର୍ଡଫ୍ଲୋରର ଏହି ବାବୁ ଏକ ଭଡ଼ା ଇନୋଭା ଗାଡିରେ ଖୋର୍ଦ୍ଦା-ଭୁବନେଶ୍ୱର ରୋଡରେ ଆସୁଥିଲେ । ବିଳମ୍ବିତ ରାତିରେ ଗାଡି ଚେକିଂ ବେଳେ ବରିଷ୍ଠ ଅଧିକାରୀଙ୍କ ଗାଡିକୁ ଅଟକାଇଥିଲେ ଏମଭିଆଇ । ତେବେ ଅଧିକାରୀ ଜଣକ ଓଲଟି ଏମଭିଆଇ କଲେକ୍ସନ କରିଥିବା ରସିଦ ବହି ଯାଁଚ କରିଥିଲେ । ଯାଁଚରେ ରସିଦ ଅପେକ୍ଷା ଅଧିକ ଟଙ୍କା ଏମଭିଆଇଙ୍କ ପାଖରୁ ମିଳିଥିଲା । ବାସ ଏହାପରେ ଥାର୍ଡଫ୍ଲୋରରେ ପହଁଚିବା କ୍ଷଣି ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ । ପ୍ରଥମେ ମୌଖିକ ଏବେ କାଜଗପତ୍ରରେ ଏମଭିଆଇଙ୍କ ବଦଳି ହୋଇଛି ।