କେନ୍ଦୁଝର,(ଏଟିଆର ବ୍ୟୁରୋ): ବଡ଼ବାବୁଙ୍କ ବଡ଼ ବିଚିତ୍ର ଖେଳ । କାଟି ପକାଇଲେ ଦୀର୍ଘଦିନର ପୁରୁଣା ଗଛ । ଗୋଟିଏ କି’ ଦୁଇଟି ନୁହେଁ ପାଖାପାଖି ୨୨ଟି ଗଛକୁ କାଟି ଗଡ଼ କରି ଦେଇଛନ୍ତି । ଯେଉଁଥିରୁ ବାଦ ପଡିନି ଚନ୍ଦନ ଗଛ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏସବୁ ଗଛ କଟା ଯାଇଛି ତାହା ସ୍ପଷ୍ଟ ହେଉନି । ତେବେ ଏହାକୁ ନେଇ କିନ୍ତୁ ଏବେ ସାଧାରଣରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ । କେନ୍ଦୁଝର ପୁଲିସ କ୍ୟାମ୍ପସରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏ କଥାକୁ ଆଦୌ ମାନିବାକୁ ନାରାଜ ଏସପି । ପୂରାପୂରି ଫାଙ୍କୁଛନ୍ତି । ଗଛ କଟା ହୋଇନାହିଁ ବୋଲି ଓଲଟି ସଫେଇ ଦେଇଛନ୍ତି ଏସପି ସାର । ସେପଟେ କେନ୍ଦୁଝର ଡିଏଫଓଙ୍କ ସୂଚନା ଏସପି ସାରଙ୍କୁ ଏବେ ମିଛୁଆ ବୋଲି ପ୍ରମାଣ କରିଛି । ଏଟିଆର ପକ୍ଷରୁ ଏନେଇ ଡିଏଫଓଙ୍କୁ ଯୋଗାଯୋଗ କରାଯାଇଥିଲା । ଡିଏଫଓ ବି ସବୁ କଥା ବଖାଣିଥିଲେ । ତେବେ ଏଠି ପ୍ରଶ୍ନ ଗଛ କଟା ସମ୍ପର୍କରେ ଡିଏଫଓ ମୁହଁ ଖୋଲୁଥିବା ବେଳେ କାହିଁକି ଫାଙ୍କୁଛନ୍ତି ଏସପି ସାର? ମିଛ କହିବା ପଛରେ ଏସପିଙ୍କ ଉଦ୍ଦେଶ୍ୟ କଣ? ଜବାବ ମାଗୁଛନ୍ତି କେନ୍ଦୁଝର ବାସୀ ।
ସବୁଠୁ ବଡ଼ କଥା ହେଉଛି ଗଛ କାଟିବା ଲାଗି ଯେଉଁ କାଇଦା କାନୁନ ରହିଛି ତାହା ଉପରେ ଫୋକସ କରିଛନ୍ତି ତ’ ଏସପି ସାର? ଯଦି କରିଛନ୍ତି ତେବେ ଏତେ ଶୀଘ୍ର ଗଛ କାଟିବାକୁ ଅନୁମତି ମିଳିଗଲା କିପରି? ଯାହାକୁ ନେଇ ଏବେ ସାଧାରଣ ଲୋକେ ସନ୍ଦେହ ପ୍ରକଟ କରିଛନ୍ତି । କେବଳ ଏତିକି ନୁହେଁ ଏହି ଗଛ କଟାକୁ ନେଇ ମଧ୍ୟ ଏବେ ଅନେକ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ହେଲେ ପଣ୍ଡିତ ପୁଅ ମାଙ୍କଡ ମାରିବା ନୀତିରେ ବରିଷ୍ଠ ଅଧିକାରୀ ହୋଇଥିବାରୁ କାହାର ସାହାସ ହେଉନାହିଁ ମୁହଁ ଖୋଲିବାକୁ । ନିୟମ କହୁଛି ଗୋଟିଏ ଗଛ କାଟିବାକୁ ହେଲେ ୧୦ଟି ଗଛ ଲଗାଇବା ବାଧ୍ୟତାମୂଳକ ।
ଏବେ ଆମର ପ୍ରଶ୍ନ ୨୨ଟି ଗଛ କାଟିବା ପୂର୍ବରୁ କେତୋଟି ଗଛ ଲଗାଇଛନ୍ତି ଏସପି ସାର? ଆଉ ଯଦି ଲଗାଇଛନ୍ତି ତେବେ ସ୍ଥାନ ସମ୍ପର୍କରେ ଟିକେ ସୂଚନା ଦେବେ କି? ଅନୁସନ୍ଧାନରୁ ଜଣାପଡିଛି ପୂର୍ବରୁ ଜଗତସିଂହପୁର ଏସିପି ଥିବା ବେଳେ ସୌନ୍ଦର୍ଯ୍ୟକରଣ ଲାଗି ସହରରୁ ଗଛ କାଟିଥିଲେ । ତେବେ କ୍ୟାମ୍ପସ ପରିସରରେ ଥିବା ଗଛକୁ କାଟି ଏସପି ସାର କେଉଁ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ? ତେବେ ସେ ଯାହା ବି ହେଉ ଏହି ଗଛକଟାକୁ ନେଇ ସାଧାରଣରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋକଙ୍କୁ ବେଶି ଅଡୁଆରେ ପକାଉଛି ବିଭାଗୀୟ ଅଧିକାରୀଙ୍କ ଚୁପ ରହିବା ଘଟଣା ।
ଶୁଣିବାକୁ ମିଳୁଛି ସ୍ୱଚ୍ଛ ଭାରତ ମିଶନକୁ ବେଶ ପସନ୍ଦ କରନ୍ତି ଏସପି । ଖାସ ଏଥିପାଇଁ ଗଛଗୁଡିକୁ କାଟି ପକାଇଛନ୍ତି । ଗଛର ପତ୍ର ଏଣେତେଣେ ପଡି ଅଳିଆ ହେଉଥିବାରୁ ଏସପି ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ଯଦି ଏହା ସତ ହୁଏ ତେବେ ସାଙ୍ଘାତିକ । ବର୍ତ୍ତମାନ ପରିବେଶ ସୁରକ୍ଷା ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ଜଣେ ଆଇପିଏସ ଅଫିସର ଗଛ କାଟିବା ଘଟଣା ପ୍ରକୃତୀପ୍ରେମୀ ଲୋକଙ୍କୁ ବେଶ କଷ୍ଟ ଦେଇଛି ।