ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପ୍ରଳୟଙ୍କାରୀ ବନ୍ୟାରେ କ୍ଷତି ସହିଛି କେରଳ । ରାଜ୍ୟରେ ବନ୍ୟା କମିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । କେରଳ ବନ୍ୟାରେ ରାଜ୍ୟର ୨୫୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ଖୋଦ ରାଜ୍ୟ ସରକାର କେରଳରେ ବନ୍ୟା ଯୋଗୁ ରାଜସ୍ୱ କ୍ଷତି ସମ୍ବନ୍ଧରେ ଜଣାଇଛନ୍ତି । ତେବେ କେରଳରେ ଏପରି ପରିସ୍ଥିତି କୁ ଦେଖି ଦେଶର କୋଣ ଅନୁକୋଣରୁ ସହାୟତା ର ସୁଅ ଛୁଟୁଛି । ବିଭିନ୍ନ ରାଜ୍ୟ ସରକାର , ସାମାଜିକ ଅନୁଷ୍ଟାନ , ବେସରକାରୀ ସଂସ୍ଥା ତଥା ବ୍ୟକ୍ତିଗତ ସ୍ଥରରେ ମଧ୍ୟ କେରଳ କୁ ସାହାର୍ଯ୍ୟ ପ୍ରଦାନ କରାଯାଇଛି । ଖାଲି ସେତିକି ନୁହେଁ ଦେଶ ବାହାରୁ ମଧ୍ୟ ସହାୟତା ଆସିବା ନେଇ ଖବର ପ୍ରସାରିତ ହେଇଛି । ନିକଟରେ ୟୁଏଇ ପକ୍ଷରୁ କେରଳର ବନ୍ୟା ପ୍ରପୀଡିତ ମାନଙ୍କ ପାଇଁ ୭୦୦ କୋଟି ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିବା ର ଶୁଣାଯାଇଥିଲା । କିନ୍ତୁ ବାସ୍ତବିକ ୟୁଏଇ ପକ୍ଷରୁ କେରଳକୁ ୭୦୦ କୋଟି ଟଙ୍କାର ସହାୟତା ଦେବା ପାଇଁ କୌଣସି ଘୋଷଣା ଏଯାଏଁ କରିନାହିଁ । ଯାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।
ଗତ ଅଗଷ୍ଟ ୨୧ ତାରିଖ ରାତି ୯, ୫୬ ରେ କେରଳର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ବିଳନୀ ଡକାଇ ୟୁଏଇ ପକ୍ଷରୁ କେରଳକୁ ଦିଆଯାଉଥିବା ୭୦୦ କୋଟିର ସହାୟତା ରାଶି ସମ୍ପର୍କରେ ଜଣାଇଥିଲେ । ପରେ ଖୋଦ କେରଳର ମୁଖ୍ୟମନ୍ତ୍ରୀ ନିଜ ଫେସବୁକ ଏବଂ ଟ୍ୱିଟର ଆକାଉଣ୍ଟରେ କେରଳକୁ ୟୁଏଇ ପକ୍ଷରୁ ୭୦୦ କୋଟି ଟଙ୍କା ସହାୟତା ବିଷୟରେ ଜଣାଇଥିଲେ । ଖାଲି ସେତିକି ନୁହେଁ ୟୁଏଇକୁ ଧନ୍ୟବାଦ ମଧ୍ୟ ଦେଇଥିଲେ କେରଳର ମୁଖ୍ୟମନ୍ତ୍ରୀ । ଏଭଳି ଖବର ପ୍ରସାରିତ ହେବା ପରେ କେନ୍ଦ୍ର ସରକାର ୟୁଏଇର ସହାୟତା ରାଶିକୁ ବିନମ୍ରତାର ସହ ଆଗ୍ରହ୍ୟ କରିଦେଇଥିଲେ । ଦେଶର ନିଜ ଅର୍ଥରେ ବିପତ୍ତିର ମୁକାବିଲା କରିବ ବୋଲି କେନ୍ଦ୍ର ସରକାର କହିଥିଲେ । ଯାହାକୁ ନେଇ କେନ୍ଦ୍ରସରକାର ସମାଲୋଚନାର ଶିକାର ହେଇଥିଲା । କେରଳରେ ପ୍ରଳୟଙ୍କାରୀ ବନ୍ୟାରେ କ୍ଷତି ସହିଥିବା ଅର୍ଥର ଭରଣା କେନ୍ଦ୍ର ସରକାର କରିବ ବୋଲି ଖବର ପ୍ରସାରିତ ହେଲା।
ତେବେ ବାସ୍ତବିକ ୟୁଏଇ ପକ୍ଷରୁ କେରଳକୁ ୭୦୦ କୋଟି ଟଙ୍କାର ସହାୟତା ରାଶି ଦେବା ଖବରକୁ ୟୁଏଇ ଖଣ୍ଡନ କରିଛି । ୟୁଏଇ ରାଷ୍ଟ୍ରଦୂତଙ୍କ କହିବା ଅନୁସାରରେ , ୟୁଏଇ କେରଳକୁ ସହାୟତା ଦେବା ଲାଗି ଜଣାଇଥିଲା । ତେବେ କେରଳକୁ କେତେ ଟଙ୍କାର ସହାୟତା ଦିଆଯିବ ସେ ବିଷୟରେ ଏଯାଏ କିଛି ଠିକ ହୋଇନଥିବା କହିଛନ୍ତି ।
୨୨ ଅଗଷ୍ଟରେ ୟୁଏଇର ଯୁବରାଜ ମଧ୍ୟ ନିଜେ ଟୁଇଟ କରି କହିଥିଲେ ଯେ, ଭାରତର କେରଳରେ ଯେଉଁ ପ୍ରକାରର ବନ୍ୟା ହୋଇଛି । ସେଥିପାଇଁ ଆମେ ସେମାନଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । କିନ୍ତୁ ଏହି ଟୁଇଟରେ କୈାଣସି ସ୍ଥାନରେ ବି ଲେଖାଯାଇନଥିଲା ଯେ, କେରଳକୁ ୟୁଏଇ ୭୦୦କୋଟି ଟଙ୍କା ଦେବ । ଏପଟେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ କେରଳର ମୁଖ୍ୟମନ୍ତ୍ରୀ କେମିତି ଜାଣିଲେ ଯେ ୟୁଏଇ କେରଳକୁ ୭୦୦ କୋଟି ଟଙ୍କାର ସହାୟତା ଦେବ । ଏହାସହ ଟ୍ୱିଟରରେ ମଧ୍ୟ ଉଲ୍ଲେଖ କରିଦେଲେ । ତେବେ ଏନେଇ ଏବେ କେରଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରଶ୍ନବାଚି ଛିଡା ହୋଇଛି ।