ଭୁବନେଶ୍ବର (ଏଟିଆର ବ୍ୟୁରୋ) : ଆରପାରିରେ ଅଭିଳାଶ । ରାଜଧାନୀ ଭୁବନେଶ୍ୱରର ସର୍ବକନିଷ୍ଠ କ୍ୟାମେରାମ୍ୟାନ ତଥା ପ୍ରଫେସନାଲ ଫଟୋଗ୍ରାଫର ଅଭିଳାଶ ବସ୍ତିଆଙ୍କ ଦୁର୍ଘଟଣାରେ ପରଲୋକ ହୋଇଛି । ଏକ ଘରୋଇ ଚ୍ୟାନେଲରେ କ୍ୟାମେରାମ୍ୟାନ ଭାବେ ଅଭିଳାଶ ପ୍ରଥମେ କାର୍ଯ୍ୟ କରୁଥିବା ବେଳେ ପରବର୍ତୀ ସମୟରେ ଫଟୋଗ୍ରାଫି କରୁଥିଲେ ।
ଗତ ୨୦ ତାରିଖ ରାତିରେ କ୍ୟାପିଟାଲ ଥାନା ଇଲାକାରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଆଇସିୟୁରେ ରହିଥିଲେ ଅଭିଳାଶ । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିବା ଜଣାପଡିଛି ।
ତାଙ୍କ ଘର ପୁରୀ ଜିଲ୍ଲା କାକଟପୁର ଅଂଚଳରେ । ଚୁଲବୁଲିଆ କଥା ଆଉ ହସ ହସ ମୁହଁ ପାଇଁ ଭୁବନେଶ୍ୱର ମିଡିଆରେ ସମସ୍ତଙ୍କର ପ୍ରିୟ ଥିଲେ ଅଭିଳାଶ । ସୋସିଆଲ ମିଡିଆରେ ଅଭିଳାଶଙ୍କ ମୃତ୍ୟୁ ଖବରକୁ ହଠାତ କେହି ବି ବିଶ୍ୱାସ କରି ପାରି ନାହାଁନ୍ତିି । ଅଭିଳାଶଙ୍କ ପରଲୋକରେ ବିଭିନ୍ନ ସାମ୍ବାଦିକ ମହଲରୁ ଶୋକ ପ୍ରକାଶ କରାଯାଇଛି ।