ଭୁବନେଶ୍ୱର(ଏଟିଆର ବ୍ୟୁରୋ); କେଉଁଠୁ ଓ କେଉଁ ଆସନ ପାଇଁ ଲଢ଼ିବେ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ । କିଏ କହୁଛି ପାଲଲହଡାରୁ ତ ଆଉ କିଏ କହୁଛି ହିଜିଂଳିରୁ । କିନ୍ତୁ ସବୁ କଳ୍ପନାକୁ କଳ୍ପନାରେ ରଖି ଓଡିଶାର ଯେ କୌଣସି ଆସନରୁ ଲଢ଼ିବାକୁ ଆଶାୟୀ ଅଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଚାଲନ୍ତୁ ନଜର ପକାଇବା ଧର୍ମେନ୍ଦ୍ରଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀରେ କଣ ରହିଛି ବିଜେପିର ସ୍ଥିତି ।
() ପାଲଲହଡା ନିର୍ବାଚନମଣ୍ଡଳୀ । କଣିହା ବ୍ଲକର ୧୯ଟି ପଂଚାୟତ ଓ ପାଲଲହଡା ବ୍ଲକକୁ ନେଇ ୧୯୫୧ରେ ଗଢ଼ି ଉଠିଥିଲା ଏହି ନିର୍ବାଚନମଣ୍ଡଳୀ । ପୂର୍ବରୁ କଂଗ୍ରେସର ଗଡ ଥିବା ଏହି ନିର୍ବାଚନମଣ୍ଡଳୀରେ ୧୯୯୦ରେ ଜନତା ଦଳର ନୃସିଂହ ଚରଣ ସାହୁ ଜିିତିଥିଲେ ( ଜିତିବା ) ପରେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଦ୍ୱିତୀୟ ନେତା ଯିଏ କଂଗ୍ରେସର ଦୂର୍ଗ ଭାଙ୍ଗି ପାରିଥିଲେ । ୨୦୦୦ ମସିହାରେ ଏହି ଆସନରୁ ଜିତିଥିଲେ ଧର୍ମେନ୍ଦ୍ର । କିନ୍ତୁ ୨୦୦୪ରେ ତାଙ୍କୁ ଦେଓଗଡ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ଦଳ । ତେଣୁ ହାତଛଡା ହୋଇଥିଲା ପାଲଲହଡା ।
() ତେବେ ପୁଣିଥରେ ୨୦୦୯ରେ ପାଲଲହଡାକୁ କମବ୍ୟାକ କରିଥିଲେ ଧର୍ମେନ୍ଦ୍ର । କଡା ଟକ୍କର ହୋଇଥିଲା ବିଜେଡିର ପ୍ରାର୍ଥୀ ରବି ନାରାୟଣ ପାଣିଙ୍କ ସହ । ମାତ୍ର ୫୪୬୭ ଭୋଟରେ ବିଜେଡିର ଜିତିଥିବା ବେଳେ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା ଧର୍ମେନ୍ଦ୍ରଙ୍କୁ । ଏହାପରେ ସେ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ୨୦୧୪ରେ ପାଲଲହଡାରେ ବିଜେପି ପ୍ରାର୍ଥୀ ହୁଅନ୍ତି ଅଶୋକ ମହାନ୍ତି । ତେବେ ଏଥର ବି ମାତ୍ର ୫୨୯୪ ଭୋଟରେ ଜିତି ଯାଆନ୍ତି ବିଜେଡିର ମହେଶ ସାହୁ ।
() ହୁଏତ କୁହାଯାଇପାରେ , ଦୁଇ ଦୁଇ ଥର ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତି ପାଇଁ ତାଙ୍କରି ଆସନରୁ ଆସନରୁ କ୍ଷମତାକୁ ଛଡାଇ ଆଣିଛି ବିଜୁ ଜନତା ଦଳ । ତଥାପି ସ୍ଥିତି ଭଲ ଅଛି କହିଲେ ଭୁଲ ହେବନି । ଏବେ ଏବେ ପାଲଲହଡାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର । ତା ଛଡା ଦଳ ଚାହିଁଲେ ସେ ବିଧାନସଭା ପ୍ରାର୍ଥୀ ହେବେ ବୋଲି ସେ ଇଙ୍ଗିତ ଦେଇଛନ୍ତି । ତେଣୁ ପାଲଲହଡାରୁ ପ୍ରାର୍ଥୀ ହେଲେ ବିଜେପି ଓ ଧର୍ମେନ୍ଦ୍ରଙ୍କ ଉଭୟଙ୍କ ବିଜୟ ସୁନିଶ୍ଚିତ ବୋଲି ବି କୁହାଯାଇପାରେ । କାରଣ ନିର୍ବାଚନରେ ୫ହଜାର ଭୋଟର ମାର୍ଜିନ କିଛି ନୁହେଁ । ଅବଶ୍ୟ ଧର୍ମେନ୍ଦ୍ରଙ୍କ ଭଳି ନେତାଙ୍କ ପାଇଁ ଏହା ବଡକଥା ବି ହୋଇ ନପାରେ ।
() ଦୁଆର ଖଟଖଟ କଲାଣି ୨୦୧୯ ନିର୍ବାଚନ । ମାସ କେଇଟା ପରେ ରାଜନୈତିକ ମହାମଂଚ ପାଲଟିବ ଓଡିଶା । ଆଉ ଏତିକି ବେଳେ ଧର୍ମେନ୍ଦ୍ରଙ୍କ ପାଲଲହଡା ଅଙ୍କକଷା ଯଦି ସତ ହୁଏ, ତେବେ ବିଜେପି ଯେତିକି ଉତ୍ସାହିତ ହୋଇ ଜୋସରେ ଦୌଡିବ, ସେତିକି ହୋସ ଉଡିବ ବିଜୁ ଜନତା ଦଳର । ଏମିତିରେ ଅପେକ୍ଷା କେବଳ ସ୍ଥାନ, କାଳ ଓ ପାତ୍ରକୁ ।