ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଭୁବନେଶ୍ୱର ଆସୁଛନ୍ତି ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ବିଜେତା ପୁରୁଷ ଓ ହକି ଦଳ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ଟିମ୍ । ବାଜା, ଢୋଲ, ମାଡ ସାଙ୍ଗକୁ ଆତସବାଜିରେ କମ୍ପିବ ସାରା ଭୁବନେଶ୍ୱର । ଉଭୟ ପୁରୁଷ ଓ ମହିଳା ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର କେଇ ଘଣ୍ଟା ପରେ ରାଜଧାନୀରେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ପହଞ୍ଚିବେ।
ହକି ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ଏୟାର ପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଓ ସଚିବାଳୟ ମାର୍ଗର ରାସ୍ତାଘାଟ ଉଜ୍ଜଳ ଆଲୋକରେ ସଜେଇ ହୋଇଛି । ଆଜି ଦିନ ୧୧ଟା ୧୦ ରେ ଉଭୟ ପୁରୁଷ ଓ ମହିଳା ଦଳ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଅଣାଯିବ। ଏଥିପାଇଁ ଏୟାରପୋର୍ଟରୁ, ହୋଟେଲ୍ ଓ କଳିଙ୍ଗ ଷ୍ଟାଡିୟମରେ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୩ଟି ସ୍ଥାନରେ ୨୦ ପ୍ଲାଟୁନରୁ ଊର୍ଦ୍ଧ୍ୱ ପୋଲିସ ବଳ ନିୟୋଜିତ କରାଯାଇଛି।
ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି । ସେହିପରି ସେମିଫାଇନାଲରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନକୁ ନେଇ ସାରା ଦେଶରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟୁଛି । ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲ୍ ରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା କରିବେ । ହୋଟେଲ୍ ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ୟ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ହୋଟେଲ୍ ସାଣ୍ଡିସ୍ ଟାୱାରକୁ ଫୁଲ ଓ ରଙ୍ଗିନ୍ ଆଲୋକରେ ସଜା ଯାଇଛି। ସବୁ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ସକାଳ ଜଳଖିଆ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଛି। ମଧ୍ୟାହ୍ନ ଭୋଜନରେ ପୁରୁଷ ହକି ଖେଳାଳିଙ୍କ ପାଇଁ ବିଶେଷକରି ମଟନ ବିରିୟାନି ଏବଂ ମଟନର ୪ଟି ଡିସ୍ ପ୍ରସ୍ତୁତ ହୋଇଛି। ସେହିପରି ମହିଳା ଖେଳାଳିଙ୍କ ପାଇଁ କବାବ ରହିଛି। ଏହାଛଡ଼ା ପନିର ପଞ୍ଜାବୀ ମସଲା, ଡାଲ୍ ,ମଖନୀ , ଚକୁଳି ଚିଲ୍ଲି ଗାର୍ଲିକ ନୁଡ଼ୁଲ୍ସ ,ଦହି , ଇଡଲି ମେନୁ ରହିଛି ।