ଭୁବେନେଶ୍ୱର (ଏଟିଆର ବ୍ୟୁରୋ): ଆଉ ଦିନ କେଇଟା ପରେ ଧରା ପୃଷ୍ଠରେ ଅବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ଏନେଇ ଗାଁ ଠୁ ସହର ଚାରିଆଡେ ଚଳଚଞ୍ଚଳ । ମା ଙ୍କ ଆଗମନ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମସ୍ତ ଦେବୀ ମନ୍ଦିର ସମେତ ପୂଜା ମଣ୍ଡପ ଗୁଡିକୁ କେଉଁଠି ଆକର୍ଷଣୀୟ ଲାଇଟ ତ ପୁଣି କେଉଁଠି ସୁଉଚ୍ଚ ତୋରଣ ରେ ସଜାଯାଉଛି । ପୂଜା ପାଖେଇ ଆସୁ ଥିବାରୁ କାରିଗରଙ୍କ ହାତକୁ ବି ଫୁରୁସତ ନାହିଁ । ଭିନ୍ନ ଭିନ୍ନ କାର୍ଯ୍ୟରେ ଲାଗି ପଡିଛନ୍ତି କାରିଗର । କେଉଁଠି କାରିଗର ମାନେ ତୋରଣ ସଜାଇବାରେ ବ୍ୟସ୍ତ ତ ଆଉ କେଉଁଠି ଦେବୀ ଦୁର୍ଗାଙ୍କ ମୃତି ତିଆରି କରିବାରେ । ସଠିକ୍ ସମୟରେ କାମ ସାରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି କାରିଗର ।
ସେପଟେ ପ୍ରତ୍ୟେକ ବର୍ଷ ଭକ୍ତ ମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଐତିହାସିକ ଓ ଆଧୁନିକ ଢାଞ୍ଚାରେ ତୋରଣ ଗୁଡିକୁ ସଜା ଯାଇ ଥାଏ । ସେହିଭଳି ଚଳିତ ବର୍ଷ ମଧ୍ୟ ବେଶ ଧୁମ ଧାମରେ ମା ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ଗୁଡିକୁ ସଜାଯାଉଛି । ନୟାପଲ୍ଲୀ ଦୁର୍ଗା ପୂଜା କମିଟି ଦ୍ୱାର ମଣ୍ଡପ ସଜାଇବାରେ ଏଥର ଏକ ଅଭିନବ ପ୍ରୟାଶ କରାଯାଇଛି । ଜଙ୍ଗଲରୁ ବିଭିନ୍ନ ପ୍ରକାରର ମଞ୍ଜି, ଗଛ ଛାଲ, ବେଲ ଖୋଳପା ଇତ୍ୟାଦି ସଂଗ୍ରହ କରାଯାଇ ମଣ୍ଡପର ତୋରଣକୁ ଏହା ଦ୍ୱାରା ସଜାଯାଇଛି ।