ଭଦ୍ରକ( ଏଟିଆର ବ୍ୟୁରୋ): ଚାଷୀଙ୍କ ପେଟରେ ଲାତ ମାରୁଛନ୍ତି ଦଲାଲ୍ । ଚାଷୀଙ୍କଠାରୁ କମ୍ ଟଙ୍କାରେ ଧାନ କିଣି ନିଜ ରାଜ୍ୟକୁ ବୋହି ନେଉଛନ୍ତି । ଏପରି ଏକ ଘଟଣା ଦେଖାଦେଇଛି ଭଦ୍ରକ ଜିଲ୍ଲାରେ । ହାତୀ ପ୍ରକୋପ ଓ ଚକଡା ଦାଉରୁ ବଞ୍ଚି ଯାଉଥିବା ଚାଷୀଙ୍କୁ ଏପରି ଲୁଟୁଛନ୍ତି ଆନ୍ଧ୍ର ଓ ପଶ୍ଚିମବଙ୍ଗର ଦଲାଲମାନେ । କମ୍ ଟଙ୍କାରେ ଲୋକଙ୍କୁ ଭୁଆଁ ବୁଲେଇ ଧାନ ବୋହିନେଇ ଯାଉଥିବା ଅଭିଯୋଗ ଉଠିଛି ।
ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ଯଥା- ବାସୁଦେବପୁର, ଚାନ୍ଦବାଲି, ତିହିଡି, ଧାମନଗର, ବନ୍ଦ, ଭଣ୍ଡାରିପୋଖରୀ ଓ ଅନ୍ୟାନ୍ୟ ଅଞ୍ଚଳରେ ଏହି ଦଲାଲଙ୍କର ଉତ୍ପାତ ଦେଖିବାକୁ ମିଳୁଛି । ପ୍ରଥମେ ସେମାନେ ଗାଁକୁ ଗାଁକୁ ବୁଲି ସରକାରୀ ମୂଲ୍ୟଠାରୁ କମ୍ ମୂଲ୍ୟରେ ଧାନ କିଣନ୍ତି ଓ ରାତି ଅନ୍ଧାରର ଫାଇଦା ଉଠାଇ ନିଜ ରାଜ୍ୟକୁ ଟ୍ରକ ମାଧ୍ୟମରେ ଧାନ ପଠାଇ ଦିଅନ୍ତି । ରାଜ୍ୟରେ ଥିବା ମାଫିଆଙ୍କ ୁ ଆରସିଏମ ଓ ଯୋଗାଣ ବିଭାଗ କର୍ମଚାରୀ ସହାୟତା କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲାରେ ମଣ୍ଡି ଖୋଲାଯାଇ ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ଧାନ ବିକ୍ରି କରୁଥିବାର କହିଥିବା ବେଳେ ଖୁବ୍ ଶୀଘ୍ର ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଧାନ ସଂଗ୍ରହ ହେବ ବୋଲି ସେଠାକାର ଜିଲ୍ଲାପାଳ କହିଛନ୍ତି । ତେବେ ଦେଖାଯାଉ କେବେ ପ୍ରଶାସନ ଏଭଳି ସମସ୍ୟାର ସମାଧାନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରୁଛନ୍ତି !