ସୁନ୍ଦରଗଡ (ଏଟିଆର ବ୍ୟୁରୋ); ନୂଆଁଣିଆ ଚାଳଘର ଖଣ୍ଡିଏ । ଯାହା ଭିତରେ ଦିନରେ ଖରା, ରାତିରେ ତାରା ଦେଖିବା ବେଶ ସହଜ । ପୋଲା ବାଉଁଶ ଗୁଡା ବି ଅଜାଡି ହୋଇଗଲେଣି । କେତେ ବେଳେ ଭାଙ୍ଗିପଡିବ ସେ କଥା କିଏ ଜାଣେ । ବୋଧହୁଏ ଏଇ ପିନ୍ଧାଲୁଗା ଟା ପାଇଁ ବାଉଁଶ ଗୁଡା ଯାହା ଅଜାଡି ନହୋଇ ଛିଡା ହୋଇଛନ୍ତି । ଆଉ ଏମିତି ଅଧାଭଙ୍ଗା ଘର ଭିତରେ ଜୀବନ ମୃତ୍ୟୁର ଦୋଛକିରେ ବଂଚୁଛନ୍ତି ତିନିପ୍ରାଣୀ । ବିକାଶର ସହର ସୁନ୍ଦରଗଡର ଲହୁଣୀପଡା ବରୁସୁଆଁର ଏ ହେଉଛି ବିକାଶର ବାସ୍ତବ ଚିତ୍ର । ହଁ, ଏ ଚିତ୍ର ହୁଏତ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ, ହେଲେ ତିନି ଛୁଆଙ୍କୁ ନେଇ ଏମିତି ବଂଚୁଛନ୍ତି ବାସମତୀ ସିତାରୀ । ଶୁଣୁ ନାହାଁନ୍ତି ତାଙ୍କରି ମୁହଁରୁ, କେମିତି ଜିଉଁଛନ୍ତି ବାସ ।
ବିଧବା ଭତ୍ତା ଆଉ ୨୦ କିଲୋ ସରକାରୀ ଚାଉଳ ହିଁ ବାସଙ୍କ ପାଇଁ କୋଟିନିଧୀ । ଚାରୀ ପ୍ରାଣୀ ଏତିକି ସମ୍ବଳରେ ମାସେ ଚଳିଯିବେ ବୋଲି ଯେତେବେଳେ ସରକାର ନିଷ୍ପତି ନେଇ ସାରିଛନ୍ତି, ଆମେ ଆଉ ଅଧିକ କଣ କହିବା ? ଯାହାର ଚାଲିବାକୁ ଶକ୍ତି ନାହିଁ, ସେ ମୂଲ କେଉଁଠି ଲାଗିବ ଯେ, ପିଲାଙ୍କ ମୁହଁରେ ଆହାର ଦେବ । ଦେଖୁ ନାହାଁନ୍ତି ନବୀନ ସରକାର ଚାଉଳର ଭାତ ଉପରେ ଲୁଣ ଦିଟା ଛିଂଚି ଦେଇ ବାସ କେମିତି ପରିବାର ପାଇଁ ଆହାର ସଜାଡି ଦେଉଛନ୍ତି । ଅବଶ୍ୟ ଏ ଆହାର ଏ ପରିବାର ପାଇଁ ଆହାର ଯୋଜନା ଠାରୁ କିଛି କମ ନୁହେଁ ଯେ ! ଏ ଜାଡ ବି ବେଡି ଉପରେ ବାସଙ୍କ ପାଇଁ କୋରଡା ମାଡ । ପେଟକୁ ଦାନା ଦିଟା ଯୋଗାଡ କରି ପାରୁନଥିବା ଲୋକଟା ଜାଡର ମୁକାବିଲା କରନ୍ତା କେମିତି ? ତା ବି ଏଇ ଅଧାଭଙ୍ଗା ଘରେ ରହି ।
ସରକାର ତ ସରକାର । ଯୋଜନା କରିବା ତାଙ୍କ କାମ । ସେ ଯୋଜନା ବାସ ଭଳି ଲୋକ ପାଉଛି କି ନାହିଁ, ତାକୁ ବା ସରକାର କାଇଁ ଦେଖିବେ । ନିର୍ବାଚନ ବେଳେ ଏଇ ଦୁଆରକୁ ଧଳା ଜାମା ପିନ୍ଧି ଭୋଟ ଭିକ ମାଗିବାକୁ ଆସିଥିବା ନେତାଙ୍କୁ ଆମର କେବଳ ଗୋଟିଏ ପ୍ରଶ୍ନ, ବାସ ନଥିବା ଏ ବାସ ପାଇଁ ସରକାରୀ ଯୋଜନାର ବାସଗୃହଟେ କଣ ଦରକାର ନାହିଁ ? ସେଇ ନେତା ଯେବେ ନିଜ ବିବେକକୁ ଏ ପ୍ରଶ୍ନ ପଚାରିବେ, ସେବେ ବୋଧହୁଏ ଏ ବାସ ବାସହରା ହେବନି…