ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମା ସମଲେଇଶ୍ୱରୀ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ତାସହ ମନ୍ଦର ଆଖପାଖ ଅଞ୍ଚଳରେ ଥିବା ୧୦୮ଏକର ଜିମରେ ବିକାଶ କରାଯିବ ।
ଏହି ଯୋଜନାରେ ମାଙ୍କ ମନ୍ଦିରର ସୈାନ୍ଦର୍ଯ୍ୟକରଣ , ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ସୁବିଧା ସୁଯୋଗର ଗୁରୁତ୍ୱ ଦିଆଯାଇଛି । ଏ ସମ୍ପର୍କରେ ବିଭାଗ ପକ୍ଷରୁ ଚିଠି ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା ।
ମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି ମାଙ୍କ ଦର୍ଶନ ସୁବିଧାରେ କରିପାରିବେ ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା , ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗ ମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମ ଗୃହ ନିର୍ମାଣ କରାଯିବ ।
ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ୟ୍ୟାଳୟ, ବ୍ୟାଖ୍ୟାନ କେନ୍ଦ୍ର ଏବଂ ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯିବ। ଭକ୍ତମାନେ ମନ୍ଦିରରୁ ମହାନଦୀ ଘାଟକୁ ଯିବାଲାଗି ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତା ଓ ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ୍ ନିର୍ମାଣ କରାଯିବ। ଏଠାରୁ ଉଭୟ ମହାନଦୀ ଓ ମା’ଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ।