ଯାଜପୁର,(ଏଟିଆର ବ୍ୟୁରୋ): ୨୪ଘଣ୍ଟା କଣ୍ଟ୍ରୋଲରୁମ ଖୋଲା ରହିଛି । ଯେତେବେଳେ ବି ଫୋନ କରିବେ ଅବିଳମ୍ବେ ଆପଣଙ୍କୁ ସାହାଯ୍ୟ ମିଳିବ । ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ରାଜ୍ୟ ସରକାର ଏମିତି ଫୁଟାଣି ମାରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ଅଧିକାଂଶ ସମୟରେ ଧୋକା ଦେଉଛି ଜରୁରୀ କାଳୀନ ସେବା ୧୦୮ । ଏ କଥା ଆମେ ନୁହେଁ ବରଂ ପୂର୍ବଦିନର ଘଟଣାମାନକୁ ଦେଖିଲେ ସ୍ପଷ୍ଟ ଜଣାପଡେ । ସେ ରାଜ୍ୟର ରାଜଧାନୀ ହେଉ ଅବା କୌଣସି ଉପାନ୍ତ ଅଞ୍ଚଳ, ହରଦମ ୧୦୮ ଲୋକଙ୍କୁ ସେବା ଯୋଗାଇବାରେ ଫେଲ ମାରୁଥିବା ଅଭିଯୋଗ ଉଠୁଛି ।
ତେବେ ଏପରି ସ୍ଥଳେ ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି ଯାଜପୁର ରୋଡରେ । କୋରେଇ ଥାନା ଅଧିନରେ ଥିବା କାଚେରିସାହି ନିକଟରେ ଏକ ଦୁର୍ଘଟଣା ଘଟିଥିଲେ ବି ଆହତକୁ ମେଡିକାଲ ନେବା ଲାଗି ଆସିନାହିଁ ୧୦୮ ଆମ୍ବୁଲାନ୍ସ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିଲା ତୀବ୍ର ଅସନ୍ତୋଷ । ସବୁଠୁ ବଡ଼ କଥା ହେଉଛି ଦୁର୍ଘଟଣା ସମ୍ପର୍କରେ ଲୋକେ ତୁରନ୍ତ ୧୦୮କୁ ଫୋନ କରି ଜଣାଇଥିଲେ । ବହେ ଏଣୁତେଣୁ ୧୦୮ କର୍ମଚାରୀ ପଚାରି ବୁଝିବା ପରେ ଶେଷରେ ହାତ ଟେକି ଦେଇଥିଲେ । ନିଜର ଅସହାୟତା ପ୍ରକାଶ କରିବା ସହ ଗାଡି ନଥିବା ଜଣାଇଥିଲେ । ତେବେ ର୍ଦୁଭାଗ୍ୟ ଗାଡି ନଥିବା କଥା କେବଳ ଜଣାଇବା ଲାଗି ୧୦୮ କର୍ମଚାରୀ ଆମର ପାଖାପାଖି ୧୫ମିନିଟ କାଳ ବିଳମ୍ବ କରିଥିଲେ ।
ଏବେ ଆମର ପ୍ରଶ୍ନ ଗାଡି ଯଦି ନଥିଲା ତେବେ ତୁରନ୍ତ ସେହି କଥା କହିବାରେ ଅସୁବିଧା କେଉଁଠି ରହିଥିଲା? କାହିଁ ଆମେ ଦେଖୁଛୁ ଦେଖୁଛୁ କହି ବହେ ଡ୍ରାମା କରୁଛନ୍ତି ୧୦୮ କର୍ମଚାରୀ? ଯଦି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ଡ୍ରାମାରେ କୌଣସି କ୍ଷତି ଘଟେ ତେବେ ସେଥିପାଇଁ ଦାୟୀ କିଏ ରହିବେ? ଏମିତି ହଜାରେ ପ୍ରଶ୍ନ ଏବେ ସାଧାରଣରେ । ତେବେ ଏଭଳି ସମସ୍ୟା ଆଜିକାର ନୁହେଁ ବରଂ ହରଦମ ସାମ୍ନାକୁ ଆସୁଛି । କେବଳ ଖାମଖିଆଲି ମନୋଭାବ ଯୋଗୁ ଏଭଳି ଘଟଣା ସାମ୍ନାକୁ ଆସୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଯଦି ସେବା ଯୋଗାଇବାରେ ହରଦମ ଫେଲ ମାରୁଛି ୧୦୮ ତେବେ ଏଭଳି ଭାଣ୍ଡାମି ସରକାର ବନ୍ଦ କରିଦିଅନ୍ତୁ ବୋଲି ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।