ବୌଦ୍ଧ (ଏଟିଆର ବ୍ୟୁରୋ); ଦୀର୍ଘଦିନ ହେବ ରାଜ୍ୟରେ ଛାତ୍ରୀ ମା ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସେ ଢ଼େଙ୍କାନାଳ ହେଉ ବା ଯାଜପୁର । ସବୁଠି ନଜରକୁ ଆସୁଛି ଏଭଳି ଲଜ୍ଜା ଜନକ ଦୃଶ୍ୟ । ତେବେ ବାରମ୍ବାର ଏଭଳି ଘଟଣା ଲୋକ ଲୋଚନକୁ ଆସୁଥିଲେ ମଧ୍ୟ ଲୋକ ଚେତୁ ନଥିବା ଦେଖିବାକୁ ମିଳୁଛି । ଏବେ ପୁଣି ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକରେ । ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ତେବେ କାହା ପାଇଁ ଛାତ୍ରୀ ମା ହୋଇଛନ୍ତି ତାହା ଜଣା ପଡି ନାହିଁ ।
ମିଳିଥିବା ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏଣୁ ପରିବାର ଲୋକ ଅଟୋରେ ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପହଁଞ୍ଚିବା ପରେ ଡାକ୍ତରଖାନା ଭିତରକୁ ନେବା ପୂର୍ବରୁ ଛାତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପରେ ଡାକ୍ତରଖାନାରେ କିଛି ସମୟ ରଖିବା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯେଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । କାରଣ ଛାତ୍ରୀ ଜଣକ ନାବାଳିକା ହୋଇଥିବାରୁ ପଠାଇ ଦେଇଥିଲେ । ଏବେ ବୌଦ୍ଧ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଉଭୟ ମା ଏବଂ ସନ୍ତାନ ଭଲରେ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
ଏହି ଘଟଣା ପ୍ରଚାର ହେବା ପରେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ତେବେ ଛାତ୍ରୀଙ୍କୁ କିଏ ଗର୍ଭବତୀ କରିଛି ତାହା ସ୍ପଷ୍ଠ ହୋଇନାହିଁ । ସେପଟେ ପରିବାର ଲୋକ ଲଜ୍ଜା ଅନୁଭବ କରୁଥିବା ଶୁଣିବାକୁ ମିଳିଛି । ଦୀର୍ଘଦିନ ହେବ ଏହି ଘଟଣା ପାଇଁ ରାଜ୍ୟ ଲଜ୍ଜା ଅନୁଭବ କରୁଛି । ବିଶେଷ କରି ଆଶ୍ରମ ବିଦ୍ୟାଳୟରେ ଏଭଳି ଘଟଣା ଘଟି ଆସୁଛି । ଦେହର ଭୋକ ମେଣ୍ଟେଇବାକୁ ଯାଇ ନର ରାକ୍ଷସମାନେ ନାବାଳିକା ମାନଙ୍କୁ ଫୁସୁଲେଇ ଦୁଷ୍କର୍ମ କରିଥାନ୍ତି । ଏବଂ ଶେଷରେ ଏଭଳି ଦଶା ଭୋଗିବାକୁ ପଡୁଛି । ବିଶେଷ କରି ନିଷ୍ପାପ ନାବାଳିକା ଛାତ୍ରୀ ମାନଙ୍କୁ ପ୍ରଲୋଭନ ଦେଖାଇ ଏଭଳି ସବୁ ଅଘଟଣ ଘଟାଉଥିବା ଚର୍ଚ୍ଚା ହେଉଛି ।