କଟକ(ଏଟିିଆର ବ୍ୟୁରୋ): କଟକକୁ ପୁଣି ଫେରିଲା କରୋନା ସଂକ୍ରମଣ । ଗତକାଲି ୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ କଟକରେ ଏକ ଘରୋଇ ସାଇନ୍ସ କଲେଜରୁ ୧୨ ଜଣ ଛାତ୍ରଛାତୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ତେବେ ସେହି କଲେଜରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ୍ ଟ୍ରେସିଂ କରାଯିବା ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ମିଳିଛି । ସହରର ପ୍ରମୁଖ ଅଞ୍ଚଳରେ ଥିବା ଏହି ଘରୋଇ କଲେଜ ପାଖରେ ଅଧିକାଂଶ ଟ୍ୟୁଟରିଆଲ ଓ ଶିକ୍ଷାନୁଷ୍ଠାନ ରହିଛି । ଯାହାକି ସଂକ୍ରମଣ ବ୍ୟାପିବାର ଆଶଙ୍କା ନେଇ ଆତଙ୍କ ସୃଷ୍ଟି କରିଛି । ଏକାସଙ୍ଗେ ଏତେ ମାତ୍ରାରେ ପଜିଟିଭ ବାହାରିବାରୁ ରାତିରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।
ସେପଟେ ସିଏମ୍ସି କଣ୍ଟ୍ରୋଲ୍ ରୁମ୍ର କର୍ମଚାରୀମାନେ କଲେଜ ହଷ୍ଟେଲକୁ ଯାଇ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସିଏମସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରିବାକୁ ବ୍ୟବସ୍ଥା କରାଯାଉଛି । କଣ୍ଟାକ୍ଟ ଟ୍ରେସିଂ ପରେ ଆହୁରି ଅନେକଙ୍କ ଟେଷ୍ଟିଂ କରାଯିବ ବୋଲି ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବଢେ ତେବେ ବାଧ୍ୟ ହୋଇ କଲେଜକୁ କଣ୍ଟେନମେଣ୍ଟ୍ ଘୋଷଣା କରାଯିବ ବୋଲି ସିଏମ୍ସି ତରଫରୁ ସୂଚନା ଦିଆଯାଇଛି ।