ମାଲକାନଗିରି ( ଏଟିଆର ବ୍ୟୁରୋ): ଜଣେ ଆଦିବାସୀଙ୍କୁ ଜବାନ ଗୁଳିମାରି ଦେଇଥିବା ଅଭିଯୋଗରେ ମାଲକାନଗିରି ଚିତ୍ରକୋଣ୍ଡା ଯନ୍ତାପାଇ ହାଟରେ ଆଦିବାସୀ ମେଳି ହେବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ ଏହାକୁ ପଣ୍ଡ କରିଛି । ଉକ୍ତ ଅଞ୍ଚଳରେ ପୋଲିସ ଛାଉଣୀ କରାଯାଇ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ସୂଚନାଯୋଗ୍ୟ ଗତ ୧୩ ତାରିଖରେ ରଜୁ ହନ୍ତାଳ ଯନ୍ତାପାଇ ହାଟକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଦୁଇଜଣ ଯୁବକ ଯବାନର ପରିଚୟ ଦେଇ କେଉଁଆଡେ ଡାକି ନେଇଥିଲେ । ସେ ପରଠୁ ରାଜୁ ନିଖୋଜ ହୋଇ ଯାଇଥିଲେ ।
ପରେ ରାଜୁଙ୍କ ମୃତ ଦେହ ଏକ ଅଙ୍ଗନବାଡି କେନ୍ଦ୍ରରୁ ମିଳିଥିଲା । ତାଙ୍କୁ ବିଏସ୍ଏଫ୍ ଯବାନ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଗ୍ରାମବାସୀ ମାନେ ଗତ ଶନିବାର ପେପରମେଟଲା ଥାନା ଘେରାଉ କରି ପୋଲିସକୁ ଆକ୍ରମଣ କରିବା ସହିତ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ।
ଗତକାଲି ଯନ୍ତାପାଇ ହାଟରେ ଗୋଟାଏ ବଡ଼ ପ୍ରଜାମେଳି ପାଇଁ ଆଦିବାସୀମାନେ ଡାକରା ଦେଇଥିଲେ। କୌଣସି କାରଣରୁ ତାହା ସମ୍ଭବ ନ ହେବାରୁ ଆଜି ଯନ୍ତାପାଇ ମେଳି ହେଉଥିବା ପୋଲିସକୁ ସୂଚନା ମିଳିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଯନ୍ତାପାଇରେ ୧୪୪ ଧାରା ଜାରି କରାଯାଇଛି । ତେବେ ଲୋକଙ୍କର ଏହି ମେଳି ପଛରେ ମାଓବାଦୀଙ୍କର ହାତ ରହିଥିବା ସନ୍ଦେହ କରାଯାଉଛି।