କାମାକ୍ଷାନଗର (ଏଟିଆର ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଏହି ପରୀକ୍ଷାକୁ ସ୍ୱଚ୍ଛ ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ମଧ୍ୟ ଲଗାଯିବାର ବ୍ୟବସ୍ଥା କରାଯାଇଛି । ହେଲେ ଏତେ ସତ୍ୱେ କେତେକ ସ୍ଥାନରେ ଖୋଦ ଅଭିଭାବକମାନେ ପିଲାମାନଙ୍କୁ କପି ଯୋଗାଇ ଦେଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଗତ ଶନିବାର ଦିନ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ଅଭିଭାବକମାନେ ଖୁଲମଖୁଲା ଛାତ୍ରଛାତ୍ରୀ ମାନଙ୍କୁ କପି ଯୋଗାଇ ଦେଉଥିବା ଘଟଣା ସାମ୍ନାକୁ ଆସିଥିଲା । ଘଟଣାଟି ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ଜାରି କରାଯାଇଛି ୧୪୪ଧାରା ।
ଏନେଇ କଙ୍କଡାହାଡ ବିଇଓ ହରିହର ଦେହୁରୀ ସୂଚନା ଦେଇଛନ୍ତି । ଏହା ସହ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରାଯିବ ବୋଲି ମଧ୍ୟ ସୂଚନା ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ, ଗତ ଶନିବାର ଦିନ ଇଂରାଜୀ ପରୀକ୍ଷା ଥିବା ବେଳେ ଅଭିଭାବକମାନେ ଖୁଲମଖୁଲା ପିଲାମାନଙ୍କୁ ସ୍କୁଲ କାନ୍ଥ ଡେଇଁ କପି ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା । ଖାଲି କଙ୍କଡାହାଡ ନୁହେଁ ଜିଲ୍ଲାର ୮୩ଟି ପରୀକ୍ଷା କେନ୍ଦ୍ରରେ କଡାକଡି ଭାବେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । ସେହିପରି ଆଜି ଛାତ୍ରଛାତ୍ରୀମାନଙ୍କର ତୃତୀୟ ଭାଷା ପରୀକ୍ଷା ଥିବା ବେଳେ ଏହାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଦିଆଯାଇଛି । ଏହାସହ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଟକ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଅତିରିକ୍ତ ଫୋର୍ସ ମଧ୍ୟ ମୁତୟନ କରିବା ପାଇଁ କଟକ ଡିସିପି ଓ ଗ୍ରାମାଞ୍ଚଳ ଏସିପିଙ୍କୁ ଚିଠି ଲେଖାଯାଇଛି ।