ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ହେଉଛି କାରଗିଲ ବିଜୟ ଦିବସ । ଆଜିର ଦିନଟି ସବୁ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଯେଉଁ ସହୀଦମାନେ ଦେଶପାଇଁ ବଳିଦାନ ସାଜିଛନ୍ତି ସେମାନଙ୍କ କଥା ମନେପଡିଯାଉଛି । ବିଜୟ ଦିବସ ପାଇଁ ଯେତିକି ଖୁସି ଲାଗୁଛି ସହୀଦଙ୍କ କଥା ମନେ ପଡିଗଲେ ଛାତିରେ କୋହ ଭରି ଯାଉଛି । ଆଉ କୋଡିଏ ବର୍ଷ ତଳର ସେହି ଦଃୁଖରେ ଆଖିରେ ଲୁହ ଜକେଇ ଆସୁଛି ।
୧୯୯୯ ମସିହା ଜୁଲାଇ ୨୬ରେ ପାକ ସେନାଙ୍କ କବଳରୁ କାରଗିଲ ମୁକ୍ତ କରିଥିଲା ଭାରତୀୟ ସେନା । ଭାରତୀୟ ସେନାର ବିଜୟ ଅଭିଯାନ ସଫଳ ହୋଇଥିଲା। ଷାଠିଏ ଦିନ ଧରି ଚାଲିଥିବା ଯୁଦ୍ଧରେ ସହିଦ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ସହିଦ ଯବାନମାନଙ୍କୁ ମନେପକାଇବା ପାଇଁ ଜୁଲାଇ ୨୬କୁ ୨୦ ବର୍ଷ ହେଲା ବିଜୟ ଦିବସ ଭାବରେ ପାଳନ କରାଯାଉଛି । ଭାରତର କୋଟି କୋଟି ଜନତାଙ୍କ ସୁରକ୍ଷା ପାଇଁ ଯବାନମାନେ ନିଜ ଜୀବନକୁ ବାଜି ଲଗାଇଥିବାରୁ ସେମାନେ ନମସ୍ୟ ।
୧୯୯୯ ମସିହା ଜୁଲାଇ ୨୬ ତାରିଖ ଠାରୁ ଭାରତରେ ପ୍ରତି ବର୍ଷ ଅପରେସନ୍ ବିଜୟ ପାଳନ କରାଯାଉଛି। ୬୦ ଦିନ ବ୍ୟାପୀ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷରୁ ଅନେକ ଯବାନ ପ୍ରାଣ ହରାଇଥିଲେ। କାର୍ଗିଲ୍ ଯୁଦ୍ଧରେ ଦେଶ ପାଇଁ ସହିଦ ହୋଇଥିବା ୫୨୭ ଜଣ ଭାରତୀୟ ବୀର ଯବାନମାନଙ୍କ ସ୍ମରଣାର୍ଥେ ଜୁଲାଇ ୨୬ ତାରିଖ ଦିନ ଅପରେସନ୍ ବିଜୟ ଦିବସ ପାଳନ କରାଯାଉଛି। ସଶସ୍ତ୍ର ସେନାର ଅବଦାନକୁ ପାଳନ କରିବା ପାଇଁ ଉତ୍ତର ଭାରତର କାର୍ଗିଲ୍-ଡ୍ରାସ୍ ସେକ୍ଟର୍ ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ଆସାମ ଯାଏଁ ଉତ୍ସବ ଆୟୋଜନ କରାଯାଉଛି।